ବେଙ୍ଗାଲୁରୁ : ଦୁଇ ଦିନ ତଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ବି.ଏସ୍. ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଧାନସଭାରେ ୟେଦ୍ୟୁରପ୍ପାଙ୍କ ନୂଆ ସରକାର ବହୁମତ ସାବ୍ୟସ୍ତ କରିବା ପୂର୍ବରୁ କର୍ଣ୍ଣାଟକ ନାଟକରେ ଆସିଛି ନୂଆ ମୋଡ । କର୍ଣ୍ଣାଟକ ବାଚସ୍ପତି କେ.ଆର. ରମେଶ କୁମାର ବଡ ନିଷ୍ପତ୍ତି ନେଇଛନ୍ତି । ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି । କଂଗ୍ରେସର ୧୧ ଓ ଜେଡିଏସର ୩ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି । ଦଳବଦଳ ଆଇନ ବଳରେ କଂଗ୍ରେସ-ଜେଡିଏସ୍ ମେଣ୍ଟର ବିଦ୍ରୋହୀ ବିଧାୟକଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି । ଆସନ୍ତା ୪ ବର୍ଷ ଯାଏଁ ନିର୍ବାଚନ ଲଢିପାରିବେନି ଅଯୋଗ୍ୟ ବିଧାୟକ । ଆସନ୍ତାକାଲି ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ବି.ଏସ୍. ୟେଦ୍ୟୁରପ୍ପା । ବିଧାନସଭାରେ ଏବେ ମୋଟ୍ ୨୨୨ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ଅଯୋଗ୍ୟ ଘୋଷିତ ହେବାପରେ ସରକାର ଗଠନ ପାଇଁ ବିଜେପିକୁ ଏବେ ମାତ୍ର ୧୦୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏବେ ବିଜେପିର ୧୦୫ ବିଧାୟକ ଅଛନ୍ତି ଏବଂ ୨ଜଣ ସ୍ବାଧୀନ ବିଧାୟକଙ୍କର ସମର୍ଥନ ରହିଛି।