Odia News Portal

ବୋଲ ମାନୁନାହାଁନ୍ତି ମାଫିଆ : ପୁଣି ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ

ମୋହନା : ଲାଗୁଛି ଯେମିତି ଗଞ୍ଜେଇ ଚାଷ ଏନ୍ତୁଡ଼ିଶାଳ ପାଲଟିଛି ଗଜପତି ଜ଼ିଲ୍ଲା । ଦିନକୁ ଦିନ ଜିଲ୍ଲାରେ ଗଞ୍ଜେଇ କାରବାର ବଢ଼ି ଚାଲିଛି।  କିଛି ଦିନ ତଳେ ଆର.ଉଦୟଗିରି ପୋଲିସ କାନକଟା ନାକାଗେଟ ଠାରୁ ୧୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।  ସେଥି ମଧ୍ୟରୁ ଜଣେ ଅଭିଯୁକ୍ତ ପୋଲିସ ହେପାଜତରୁ ଫେରାର ହୋଇଛି।  ଅନ୍ୟପଟେ ଜିଲ୍ଲା ପୋଲିସର ଘନଘନ ଗଞ୍ଜେଇ ଚଢ଼ାଉର ମୁଖ୍ୟ କାରଣ ସାଜିଥିବା ତଥା ଥାନାଧିକାରୀଙ୍କ ନାମ ନେଇ ଜଣେ ଯୁବକଙ୍କୁ ଗଞ୍ଜେଇ ମାମଲାରୁ ନାମ କାଟିବା ପାଇଁ ଟଙ୍କା ଦାବି କରୁଥିବା ଯୁବକ ଅଂଶୁକୁ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଧରିପାରୁନାହିଁ।  ଏସବୁ ମଧ୍ୟରେ ଜିଲ୍ଲାର ଅଡବା ପୋଲିସ ବାଚୀପଙ୍କା-ମାଣ୍ଡିମେରା ରାସ୍ତାରେ ପେଟ୍ରୋଲିଙ୍ଗ କଲାବେଳେ ଏକ କାଜୁ ବୋଝେଇ ଟ୍ରକରୁ ୩ କୁଇଣ୍ଟାଲ ୪୪ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ।

ଜବତ ଗଞ୍ଜେଇ ର ବଜ଼ାର ମୂଲ୍ୟ ୨୦ଲକ୍ଷ ୬୮ ହଜାର ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ରାଇପଙ୍କା ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା । ପୋଲିସ ଉତ୍ତରପ୍ରଦେଶ ଆଉରାଇଆ ଜିଲ୍ଲା  ବିଧୁନା ଥାନା ଜାଗୀରପୁରର ବିପିନ କୁମାର ଏବଂ ମୋନୁ କୁମାର ପାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ତପନ କୁମାର ପତି ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ପୋଲିସ ତୃଣମୂଳ ସ୍ତରରୁ କେବେ ଗଞ୍ଜେଇ ଚାଷର ମୁଳୋତ୍ପାଟନ କରୁଛି ଏବଂ ଜିଲ୍ଲାରେ ଗଞ୍ଜେଇ ଚାଷର ଭଗବାନ ସାଜିଥିବା ସ୍ଥାନୀୟ ଚୋରା ବେପାରୀଙ୍କୁ ଧରୁଛି ତାକୁ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି ।