Odia News Portal

ଉଦ୍ଧାର ହେଲା ବିରଳ ପ୍ରଜାତିର ଚିତି ସାପ

ରାଜକନିକା : ଭିତରକନିକା ବନ୍ୟପ୍ରାଣୀ ବିଭାଗ ସନ୍ନିକଟ ରାଜକନିକା ଥାନା ଅନ୍ତର୍ଗତ ଗାଙ୍ଗପୁର ଗାଁରୁ ଏକ ବିରଳ ପ୍ରଜାତିର ଧଳା ଚିତି ସାପ ଛୁଆ ଉଦ୍ଧାର କରାଯାଇଛି । ସାପଟିର ଲମ୍ବ ପ୍ରାୟ ଦେଢ଼ଫୁଟ ହୋଇଥିବା ବେଳେ ଏହା ଚିତି ପ୍ରଜାତିର ବୋଲି ବନ ବିଭାଗ ସୂଚନା ଦେଇଛି । ସାପଟିକୁ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସଦସ୍ୟମାନେ ଉଦ୍ଧାର କରିବା ପରେ ଏହାକୁ ଗାଁଠାରୁ ୧୦ କିମି ଦୂର ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗାଁର ତପନ ଜେନା ନାମକ ଜଣେ ଯୁବକ ସାପମାନଙ୍କୁ ଧରିବା ସହିତ ବିଭିନ୍ନ ସାପର ପ୍ରଜାତି, ବଂଶବୃଦ୍ଧି, ସେମାନଙ୍କ ରହଣି ସ୍ଥାନ, ଖାଦ୍ୟପେୟ ଉପରେ ଅନୁସନ୍ଧାନ ଜାରି ରଖିଛନ୍ତି । ଗତକାଲି ସନ୍ଧ୍ୟାରେ ନିଜ ସାଥୀମାନଙ୍କ ସହ ତପନ ଗାଁ ଠାକୁରାଣୀଙ୍କ ମନ୍ଦିର ନିକଟରେ ବସିଥିବା ବେଳେ ଏକ ସାପ ଯାଉଥିବା ଦେଖିଥିଲେ। ତପନ ବାଡ଼ି ସାହାଯ୍ୟରେ ସାପକୁ ଉଠାଇ ଆଣିବା ପରେ ଏହା ତମ୍ବା ରଙ୍ଗର ଦେଖାଯାଇଥିଲା । ତପନ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଏହି ସାପ ସଂପର୍କରେ ସୂଚନା ଦେଇଥିଲେ । ପରେ ହେଲ୍‌ପ ଲାଇନ୍‌ର ସଦସ୍ୟ ନଳିନୀ ପ୍ରସାଦ ଦାସ ରାଜକନିକାକୁ ଆସି ତପନଙ୍କଠାରୁ ଉକ୍ତ ସାପଟିକୁ ଉଦ୍ଧାର କରିଥିଲେ । ପରେ ଏହାକୁ ନେଇ ଗାଁର ୧୦ କିମି ଦୂର ଜଙ୍ଗଲରେ ଛାଡ଼ି ଦେଇଥିଲେ । ଏହା ବିରଳ ଧଳା ଚିତି ସାପର ଛୁଆ ବୋଲି ସେ ସୂଚନା ଦେଇଛନ୍ତି । ଇଂରାଜୀରେ ଏହାକୁ ଲେସିଷ୍ଟିକ୍‌ ଛୁଆ ବୋଲି କୁହାଯାଇଥାଏ । ବିଭିନ୍ନ କାରଣରୁ ଏହାର ରଙ୍ଗ ପରିବର୍ତ୍ତନ ହୋଇଥିବା ରାଜନଗର ବନ୍ୟପ୍ରାଣୀ ବିଭାଗର ଡିଏଫ୍‌ଓ ରଞ୍ଜନ ଦାସ କହିଛନ୍ତି । ଏହି ବିରଳ ରଙ୍ଗର ସାପକୁ ନେଇ ଚର୍ଚ୍ଚା ବଢ଼ିଥିବାବେଳେ ଡିଏଫ୍‌ଓଙ୍କ ସୂଚନା ମୁତାବକ ଏହି ସାପ ସେମିତି କିଛି ବିଶେଷ ପ୍ରଜାତିର ନୁହେଁ । କେବଳ ରଙ୍ଗରେ ପରିବର୍ତ୍ତନ ହୋଇଥିବା ଓ ସାଧାରଣ ଚିତି ଭଳି ଏହାର ବିଷ ରହିଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି