Odia News Portal

ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

କଟକ  କଟକ ଖାନନଗର ବ୍ରାହ୍ମଣ ସାହି ଅଞ୍ଚଳର ଗୋଟିଏ ପରିବାର କରୋନା ଆକ୍ରାନ୍ତ ହୋଇ କୋଭିଡ କେୟାର ସେଣ୍ଟରରେ ଥିବାବେଳେ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ  । ଗତକାଲି ବିଳମ୍ବିତ ରାତିରେ ଲୁଟେରା ଘର ତାଲା ଭାଙ୍ଗି ଘରେ ଥିବା ସୁନା ଗହଣା ସହ ନଗଦ ଟଙ୍କା ଲୁଟ କରି ଫେରାର ହୋଇ ଯାଇଛନ୍ତି । ଏ ନେଇ ବାଦାମବାଡି ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପରିବାର ଲୋକେ କରୋନା ଆକ୍ରାନ୍ତ ହୋଇଥିବାରୁ ପୋଲିସ ମଧ୍ୟ ତଦନ୍ତ କରିବାରେ ସଙ୍କୋଚ କରୁଛି ।

ରାଜ କିଶୋର ଶତପଥୀଙ୍କ ପରିବାରର ସମସ୍ତେ କରୋନା ଆକ୍ରାନ୍ତ ହୋଇ କୋଭିଡ କେୟାର ସେଣ୍ଟରରେ ରହିଥିବାବେଳେ ଘର ତାଲା ଭାଙ୍ଗି ଘର ଭିତରେ ଥିବା ଆଲମୀରାରୁ ନଗଦ ଟଙ୍କା ସମେତ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମୋଟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାରଲୋକେ । ଚୋରି ପରେ ସ୍ଥାନୀୟ ଲୋକେ ରାଜକିଶୋରଙ୍କ ପରିବାରକୁ ଜଣାଇଥିଲେ । କରୋନା ମାଡ ସାଙ୍ଗକୁ ଏତେ ବଡ ଚୋରି ପରିବାରକୁ ଭାଙ୍ଗି ଦେଇଛି । ଅନ୍ୟପଟେ ବାଦାମବାଡି ଥାନାରେ ଅଭିଯୋଗ ପରେ ଜଣେ ମାତ୍ର କନେଷ୍ଟବଳ ତାଙ୍କ ଘର ନିକଟକୁ ଯାଇଥିଲେ ସୁଦ୍ଧା ତଦନ୍ତ କରିନଥିଲେ ବରଂ ତାଙ୍କ ପରିବାର ଲୋକଙ୍କୁ ଘରକୁ ପଳାଇବାକୁ କହିଥିଲେ ଯାହା ରାଜକିଶୋରଙ୍କୁ ଅଧିକ ନିରାଶ କରିଛି ।