Odia News Portal

ରାଜ୍ୟ କଂଗ୍ରେସ ପାଇଁ ସୁର-ତାରା ସାଜିଛନ୍ତି ସଞ୍ଜିବନୀ

ଭୁବନେଶ୍ୱର : କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ଏବେ ଦଳ ପାଇଁ ସଞ୍ଜିବନୀ ପାଲଟିଛନ୍ତି । ଏମାନଙ୍କ ସକ୍ରିୟତା ଯୋଗୁଁ ରାଜ୍ୟରେ କଂଗ୍ରେସ ଅଛି ବୋଲି ଲୋକେ ଜାଣିପାରୁଛନ୍ତି । ଦଳର ଅନ୍ୟ ତୁଙ୍ଗ ନେତାଙ୍କ ନିରବତା ଓ କଚ୍ଛପ ଗତି ଯୋଗୁଁ ଦଳ ତଳକୁ ତଳକୁ ଯାଉଥିବାବେଳେ ସୁର-ତାରାଙ୍କୁ ନେଇ ଖୋଦ କର୍ମୀମାନେ ଆଲୋଚନା କରୁଛନ୍ତି । ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରକାର ନିରବ । ପୁରୀ ପ୍ରସଙ୍ଗ ହେଉ କିମ୍ବା ନେଟ୍‍ ଜେଇ ପରୀକ୍ଷା ପ୍ରସଙ୍ଗ ହେଉ ମତାମତ ଦେବା କ୍ଷେତ୍ରରେ ବିଜେପି ଆଗରେ ରହିଛି । ମାମଲା ଆଗକୁ ବଢିଲେ କଂଗ୍ରେସ ତାହାର ମନ୍ତବ୍ୟ ରଖୁଛି । ତେବେ ଏହାର କାରଣ ନିରଞ୍ଜନ ଗାଦି ଅସୁରକ୍ଷିତ ବୋଲି ଦଳୀୟ କର୍ମକର୍ତ୍ତାମାନେ ଖୋଲାଖୋଲି କହୁଛନ୍ତି । ସେମାନଙ୍କ ମତରେ ଦିଲ୍ଲୀରେ ସଭାପତି ବଦଳ ଚର୍ଚ୍ଚା ଜୋର ଧରିବାରୁ ରାଜ୍ୟ କଂଗ୍ରେସରେ ଏକ ପ୍ରକାର ବିଷାଦର ଛାୟା ଦେଖା ଖେଳିଗଲା ।

ତେଣୁ ବଗଲା ଧର୍ମଶାଳା ପ୍ରସଙ୍ଗରେ ବିଜେପି ପୁରୀରୁ ଆରମ୍ଭକରି ଭୁବନେଶ୍ୱର ଓ ଦିଲ୍ଲୀ ଯାଏ କମ୍ପମାନ କରି ଲୋକଙ୍କୁ ନିଜ ପଟକୁ ଆଣୁଥିବାବେଳେ କଂଗ୍ରେସ ସବା ପଛରେ ସଜବାଜ ହୋଇ ପୁରୀ ଗଲା । ବାମପନ୍ଥୀ ନେତା ବି ଏ କ୍ଷେତ୍ରରେ କଂଗ୍ରେସକୁ ପଛରେ ପକାଇଦେଲେ । କେବଳ ସଭାପତି ନିରଞ୍ଜନ ନୁହନ୍ତି ଦଳର ଅନ୍ୟ ତୁଙ୍ଗ ନେତା ବି ନିଜ ନିଜ ବାଟରେ ଅଛନ୍ତି । ଦଳର ଦୁଇ ଉପସଭାପତି ପ୍ରଦୀପ ମାଝି ଓ ଚିରଞ୍ଜୀବ ପଟ୍ଟନାୟକ କଂଗ୍ରେସ ଭବନ ମାଡୁ ନାହାନ୍ତି । ଏମାନେ ଏବେ ଗଣମାଧ୍ୟମ ଠାରୁ ଏକ ପ୍ରକାର ଦୂରରେ । ଅବସ୍ଥା ଏଭଳି ହୋଇଛି ଯେ ପ୍ରଦୀପ ଦଳ ଛାଡିବା ନେଇ ମଝିରେ ମଝିରେ ଚର୍ଚ୍ଚାର ଜୋର ଧରିବାପରେ ତାହାକୁ ଖଣ୍ଡନ କରିବାକୁ ପଡୁଛି । ସେହିଭଳି ଦଳର ଆଉ କିଛି ନେତା ବି ଚୁପ୍‍ ରହୁଚନ୍ତି । ତେବେ ରାଜ୍ୟ କଂଗ୍ରେସର ଏଭଳି ଦୟନୀୟ ଅବସ୍ଥାରେ ତାରା ଓ ସୁର ଆଶାବାଡି ସାଜିଛନ୍ତି ।

ସୁରଙ୍କ ରଡି ଗଣମାଧ୍ୟମରେ ବାରମ୍ବାର ଶୁଣାଯାଉଛି । ତାଙ୍କ ତୁଣ୍ଡ ଖୋଲିଲେ କେହି ସମାଲୋଚନାରୁ ବାଦ୍‍ ପଡୁନାହାନ୍ତି । ତେଣୁ କୌଣସି ପ୍ରଙ୍ଗରେ ମତାମତ ଲୋଡିଲା ବେଳକୁ ଗଣମାଧ୍ୟମ ସୁରଙ୍କୁ ଖୋଜୁଛି । ବିଭିନ୍ନ ପ୍ରସଙ୍ଗରେ ସୁର ବି ତାଙ୍କର ମତ ଦେଉଛନ୍ତି । ସୁରଙ୍କ ଭଳି ତାରା ବି ସକ୍ରିୟ ଅଛନ୍ତି । ନିଜ କ୍ୱାର୍ଟରରେ ନୂଆଖାଇ ଭେଟଘାଟ କରି କଂଗ୍ରେସ ରାଜନୀତିକୁ ତାରା ଏଭଳି ସରଗରମ କଲେ ଯେ ସବୁ ମିଡିଆ କଂଗ୍ରେସ ସଭାପତି ବଦଳକୁ ମୁଖ୍ୟ ଖବର କରିଦେଲେ । ମଉକା ଦେଖି ତାରା ବି ରାଜ୍ୟ କଂଗ୍ରେସ ସଭାପତି ପଦ ମିଳିଲେ ତାହାକୁ ଛାଡିବେ ନାହିଁ ବୋଲି କହି ଗଣମାଧ୍ୟମକୁ ମସଲା ଯୋଗାଇଲେ ।

ବିଜେପି-ବିଜେଡି କ୍ଷମତା ଯୁଦ୍ଧରେ ଯେତେବେଳେ କଂଗ୍ରେସ ପଛରେ ପଡିଯାଉଛି ଓ କୌଣସି ବଡ କାର୍ଯ୍ୟକ୍ରମ ହାତକୁ ନେବାକୁ ଦଳୀୟ କର୍ମୀମାନେ ପଛଘୁଞ୍ଚା ଦେଉଛନ୍ତି ସେତେବେଳେ ଦଳକୁ ଚର୍ଚ୍ଚାରେ ରଖିବାପାଇଁ ସୁର-ତାରାଙ୍କ ତୁଣ୍ଡ ବେଶ୍‍ କାମ ଦେଉଛି । ପୂର୍ବରୁ ଦଳର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କୁ ଯେଭଳି ଖୋଜା ପଡୁଥିବା ଏବେ ସୁର-ତାରାଙ୍କୁ ସେଭଳି ଖୋଜା ପଡୁଛି । ନିରସିଂହ ବି କିଛି ଦିନ ହେଲା ନିରବି ଯାଇଛନ୍ତି । ତେଣୁ ସୁର-ତାରାଙ୍କ ଆକ୍ସନ ଦଳକୁ ଆଗକୁ ବଢାଉ କି ନବଢାଉ ରାଜ୍ୟରେ କଂଗ୍ରେସ ଦଳ ଯେ ସକ୍ରିୟ ରହିଛି ତାହା ପ୍ରମାଣ କରିବାରେ ସହାୟକ ହେଉଛି ।