Odia News Portal

ଆମ୍ବୁଲାନ୍ସ ସେବାରେ ମୃତ ମହିଳାଙ୍କ ଶବକୁ ମେଡିକାଲରୁ ଘରେ ପହଞ୍ଚାଇଲେ

କଟକ : ଚୌଦ୍ଵାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ପୁଣି ଏକ ଆମ୍ବୁଲାନ୍ସ ସେବା ସର୍ବସାଧାରଣଙ୍କ ନଜରକୁ ଆସିଛି । ଗତକାଲି ବିଳମ୍ୱିତ ରାତି ସାଢେ଼ ଗୋଟାଏ ସମୟରେ ନିଆଳି ଥାନା କସଦ୍ଦା ଅଞ୍ଚଳର ଜନୈକ ମହିଳା ଘରେ ଶୋଇଥିବା ବେଳେ ବାମ ହାତର ମଝି ଆଙ୍ଗୁଳିକୁ କୌଣସି ଏକ ବିଷଧର ସାପ ଦଂଶନ କରି ଚାଲି ଯାଇଥିଲା । ଯାହାକି ଚିହ୍ନଟ ହୋଇ ପାରି ନ ଥିଲା । ଘଟଣା ପରେ ମହିଳାଙ୍କ ସ୍ଵାମୀ ଓ ପରିବାର ଲୋକେ ସ୍ଥାନୀୟ ଅଡଶପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ । ଏଥିରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟଧିକ ଗୁରୁତର ହୋଇ ପଡ଼ିବାରୁ ତାଙ୍କ ସ୍ଵାମୀ ଆଜି ଏକ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମହିଳାଙ୍କୁ ସର୍ପାଘାତ ହୋଇଥିବା ଜଣାପଡିବା ପରେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମୃତ ମହିଳା ଜଣକ ବିଶ୍ଵନାଥ ବାରିକଙ୍କ ପତ୍ନୀ ସୁନୀତା ବାରିକ (୩୫) ବୋଲି ଜଣା ପଡିଛି ।

ମୃତ ମହିଳାଙ୍କ ସମ୍ପର୍କୀୟ ତଥା ରକ୍ତଦାତା ଶିବିରର ଆୟୋଜକ ତଥା କଟକ ପିଠାପୁର ଅଞ୍ଚଳର ଯୁବ ସମାଜସେବୀ ବିଜୟ ରାଉତଙ୍କ ଠାରୁ ଖବର ପାଇ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଦେବଦୂତ ସାଜି ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତକଙ୍କ ପରିବାରକୁ ଆଶ୍ୱାସନା ଦେବା ସହ ଘରେ ପହଞ୍ଚାଇବାକୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଥିଲେ । ଶେଷରେ ନିଜ ପକ୍ଷରୁ ଏକ ଘରୋଇ ଆମ୍ବୁଲାନ୍ସ ଭ୍ୟାନର ବ୍ୟବସ୍ଥା କରି ମହିଳାଙ୍କ ଶବକୁ ନିଆଳି ଥାନା ବରଗୁଡି ଅଞ୍ଚଳକୁ ପଠାଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ବିଶ୍ଵାଳଙ୍କ ଏହି ଆମ୍ବୁଲାନ୍ସ ସେବା ପାଇଁ ମୃତକଙ୍କ ଶବ  ନିଜ ଗ୍ରାମରେ ପହଞ୍ଚି ପାରିଛି । ଉଲ୍ଲେଖ ଥାଉକି, ପୂର୍ବରୁ ଅନେକ ବାର ଆମ୍ବୁଲାନ୍ସ ସେବା ଯୋଗାଇ ପୂର୍ବତନ ବିଧାୟକ ବହୁ ଦୂର ଦୂରାନ୍ତଙ୍କୁ ନିଜ ବାସଗୃହରେ ପଠାଇଥିଲେ ।