ଭୁବନେଶ୍ବର : ଅଫିସ ର ଏସି ଚାମ୍ବର ରେ ବସି ନୁହେଁ , ବରଂ ଲୋକଙ୍କ ପାଖକୁ ଯାଅ । ଲୋକଙ୍କ ସୁବିଧା ଅସୁବିଧା ବୁଝ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ମନ୍ତ୍ରୀ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଗତକାଲି ଖାରବେଳନଗର ସ୍ଥିତ ଆଶ୍ରୟ ଗୃହ କୁ ଗସ୍ତ କରିଥିବାବେଳେ ଆଜି ଅଚାନକ ଉତ୍ତର ନିର୍ବାଚନମଣ୍ଡଳୀ ସ୍ଥିତ ପ୍ରତାପନଗରୀରେ ନିର୍ମାଣଧୀନ ବ୍ରିଜ ନିକଟକୁ ଯାଇ କାମ ର ତଦାରଖ କରିଛନ୍ତି । କିଭଳି ଆହୁରି ଉତ୍ତମ ମାନର କାମ ହୋଇପାରିବ ସେ ନେଇ ମୁଖ୍ୟତଃ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେହିଭଳି କାମରେ କୌଣସି ବିଳମ୍ବ ନକରି ମାର୍ଚ୍ଚ ମାସ ସୁଧା ମରାମତି ଶେଷ କରିବା ପାଇଁ ସେ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଏଭଳି ଅଚାନକ ଗସ୍ତ ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ମନରେ ଛନକା ପୁରାଇ ଦେଇଥିବା ବେଳେ ସାଧାରଣ ଲୋକେ ଏହାକୁ ସ୍ଵାଗତ କରିଛନ୍ତି ।
ସୂଚନାଯୋଗ୍ୟ ଏହି ବ୍ରିଜ ପ୍ରତାପନଗରୀ ଜାତୀୟ ରାଜପଥରୁ ନନ୍ଦନକାନନ ରୋଡ଼କୁ ସଂଯୋଗ କରୁଅଛି । ଏହି ବ୍ରିଜ ହେବା ଦ୍ୱାରା ଉତ୍ତର ନିର୍ବାଚନମଣ୍ଡଳୀ ର ୫ ଟି ଗ୍ରାମପଞ୍ଚାୟତ ଓ କଟକ ସଦର ର ୬ ଟି ଗ୍ରାମପଞ୍ଚାୟତ ର ଲୋକେ ଉପକୃତ ହେବେ । ନଦୀ ର ଦୁଇ ପାର୍ଶ୍ୱରେ ରହୁଥିବା ୨୦ ହଜାର ରୁ ଉର୍ଦ୍ଧ୍ବ ଲୋକେ ଦୈନଦିନ ଡଙ୍ଗା ଉପରେ ନିର୍ଭର କରିବା ସହ ବିପଦସଙ୍କୁଳ ଭାବେ ଯାତ୍ରା କରୁଥିଲେ ।
