ଭୁବନେଶ୍ୱର : ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀ ସେସୁର ମାଲିକାନା ଟାଟା ହାତକୁ ଯିବାପରେ ରାଜ୍ୟରୁ ବିଶେଷକରି ରାଜଧାନୀରୁ ବିଜୁଳି ଚୋରି କମିବ ଓ ଲୋକେ ଗୁଣାତ୍ମକ ବିଜୁଳି ପାଇବେ ବୋଲି ଆଶା କରାଯାଉଥିଲା । ହେଲେ ବିଜୁଳି ଚୋରଙ୍କ ପ୍ରତି ଟାଟା କର୍ତ୍ତୃପକ୍ଷଙ୍କ କୋହଳ ମନୋଭାବ ଦେଖି ଏବେ ଅବସ୍ଥାରେ ଉନ୍ନତି ଘଟିବନାହିଁ ବୋଲି ଉପଭୋକ୍ତାମାନେ ମତ ଦେଉଛନ୍ତି । ରାଜଧାନୀରେ ବିଜୁଳି ଚୋରିର ମୁଖ୍ୟ ଉପଭୋକ୍ତା ହେଉଛନ୍ତି ଜବରଦଖଲରେ ଗଢି ଉଠିଥିବା ବେଆଇନ୍ ବସ୍ତି । ଆଉ ଏହି ବିଜୁଳି ଚୋରିକୁ ପ୍ରୋତ୍ସାନ ଦେଉଛନ୍ତି ସ୍ଥାନୀୟ ବିଜ୍ୟୁତ୍ ଡିଭିଜନର ତଳୁ ଉପର ପର୍ଯ୍ୟନ୍ତ କର୍ମଚାରୀ । ଏ ବାବଦରେ ମୋଟା ଅଙ୍କର ମାସିକିଆ ବଟି ଆଦାୟ ହେଉଥିବାବେଳେ ତାହାର ଉତ୍ତମ ଭାଗବଣ୍ଟା ହେଉଛି । ଘର ପିଛା ମାସିକିଆ ପାଉଣା ଧାର୍ଯ୍ୟ ହୋଇଛି । ଯଦି ଗୋଟିଏ ମାସ ବନ୍ଦ ହେଲା ତେବେ ଆର ମାସକୁ ତାର ଖୋଲାହେବ । ଏହାବାଦ୍ ପୂଜା ଚାନ୍ଦା ସହିତ ଅଦିନିଆ ଚାନ୍ଦା ବି ରହିଛି । ଏ ବାବଦରେ ରାଜଧାନୀରୁ କୋଟି କୋଟି ଟଙ୍କା କର୍ମଚାରୀଙ୍କ ପକେଟକୁ ଯାଉଥିବାର ଆଲୋଚନା ହେଉଛି । ଏ ସଂକ୍ରାନ୍ତରେ ନିଜନାମ ଗୋପନ ସର୍ତ୍ତରେ ଜଣେ ବିଜୁଳି କର୍ମଚାରୀ କହିଛନ୍ତି ଯେ ରାଜଧାନୀରେ ଏବେ ସରକାରୀ ବେସରକାରୀ ମିଶାଇ ବସ୍ତିସଂଖ୍ୟା ହଜାରେ ଟପିଗଲାଣି । ଏହାବାଦ୍ ରାସ୍ତାକଡ, କନଜରଭେନ୍ସି, ଗଳି କନ୍ଦି ଆଦି ରହିଛି । ଜବରଦଖଲ ଘର ସହିତ ଉଠାଦୋକାନ ବି ଅଛି । ସବୁଠି ବିଜୁଳି ଜଳୁଛି ।
ସରକାରଙ୍କ ଅନୁମତିପ୍ରାପ୍ତ ବସ୍ତିକୁ ବିଜୁଳି ଦେବାରେ କୌଣସି ଅସୁବିଧା ନାହିଁ । ହେଲେ ଯିଏ ରାସ୍ତାକଡରେ ରାତାରାତି ଘର କଲା, କନଜରଭେନ୍ସିରେ ଘର ଠିଆକଲା ତାହା ଘରେ କିଭଳି ବିଜୁଳି ଜଳଛୁ ତାହା ବଡ ପ୍ରଶ୍ନ ହୋଇଛି । ଏହିସବୁ ଜବରଦଖଲକାରୀମାନେ ସ୍ଥାନୀୟ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ହାତକରି ଖୁଣ୍ଟରୁ ତାର ଟାଣିଛନ୍ତି । ଅଧିକାଂଶ ସଂଯୋଗର ଖାତା ଖତିଆନା ନଥିବାରୁ ବିଜୁଳି ଟିକସ ଆଦାରରେ ଟଙ୍କାଟିଏ ଆଦାୟ ହୋଇପାରୁନାହିଁ । କାରଣ ଆଇନ୍ତଃ ଏହିସବୁ ବେଆଇନ୍ ନିର୍ମାଣକୁ ବିଜୁଳି ସଂଯୋଗ ଦିଆଯାଇ ପାରିବନାହିଁ । ତେଣୁ କିଏ କିଭଳି ଏଠାକୁ ମାଳ ମାଳ ସର୍ଭିସ ତାର ଖୁଣ୍ଟର ଟାଣିଛି ତାହା ଯେ କେହି ରାସ୍ତାକଡରେ ଛିଡାହୋଇ ଦେଖିପାରିବ । ସେହିଭଳି ଅନେକ ବସ୍ତି ଘରକୁ ବିଭିନ୍ନ ଗରିବ ଯୋଜନାରେ କମ୍ ଦରରେ ବିଜୁଳି ସଂଯୋଗ ହୋଇଛି । ନିୟମ ଅନୁଯାୟୀ ଏହି ସଂଯୋଗରେ ଘର ପିଛା ଗୋଟିଏ ଦୁଇଟି ବଲ୍ୱ ଓ ଗୋଟିଏ ପଙ୍ଖା ଚାଲିବାକଥା । ହେଲେ ଲୋକେ ସେହି ସଂଯୋଗରେ ଏସି ଚଲାଣିଲେଣି । ଘରେ ଘରେ ଟିଭି. ଫିଜ, ୱାସିଂ ମେସିନ ଆଦି ଚାଲୁଥିଲେ ବି ମାସକୁ ୫୦/୬୦ ଟଙ୍କା ଧରାଇ ଦେଉଛନ୍ତି । ଆଉ କିଛି ପଇସା ବିଦ୍ୟୁତ୍ କର୍ମଚାରୀଙ୍କୁ ଦେଇଦେଲେ କାମ ଫତେ ।
ଏଭଳି ବିଜୁଳି ଚୋରି ଯୋଗୁଁ ଏବେ ପ୍ରକୃତ ହିତାଧିକାରୀମାନେ ଗୁଣାତ୍ମକ ବିଜୁଳି ପାଉନାହାନ୍ତି । ଅଧିକାଂଶ ସମୟରେ ଲାଇନ୍ ଡ୍ରପ୍ ଆଉଟ୍ ହେଉଛି ନହେଲେ ଲୋ ଭୋଲଟେଜ । ସ୍ଥାନୀୟ ବିଜୁଳି କର୍ମଚାରୀଙ୍କ ଠାରୁ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହା ଜାଣିଛନ୍ତି । ହେଲେ ପଇସା ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିବା କୁହାଯାଉଛି । ତେଣୁ ଟାଟା ପାୱାର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହିତ ଏଭଳି ଚୋରିକୁ ତୁରନ୍ତ ନଧରିଲେ ଲୋକଙ୍କୁ ଗଣୁ ।ତ୍ମକ ବିଜୁଳି ଯୋଗାଣ ସମ୍ଭବ ହୋଇପାରିବ ନାହିଁ କି ବିଜୁଳି ସଂସ୍କାର ବ୍ୟବସ୍ଥାରୁ କୌଣସି ସୁଫଳ ମିଳିବନାହିଁ ।
