Odia News Portal

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସାମାଜିକ କର୍ମୀ

ଭୁବନେଶ୍ବର : ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ସାମାଜିକ କର୍ମୀ ତଥା ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦାଶିବ ଜେନା। ପ୍ରଥମେ କୁନି କୁନି ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ରୁ ଆରମ୍ଭ କରିଥିଲେ ନିଜର ଜନ୍ମଦିନ। ଏହି ଅବସରରେ ସମର୍ପିତ ଓ ସେବା ଫାଉଣ୍ଡେସନ ଦ୍ୱାରା କମିଶନରେଟ ପୋଲିସ ସହଭାଗିତାରେ, ଆରାଇଜ ୟୁଥ ୟୁନିଅନ ସହ ନିଳାଦ୍ରୀବିହାର ରେ ରକ୍ତଦାନ ଶିବିର ଓ କମିଶନରେଟ ପୋଲିସ ସହଭାଗିତାରେ ପଳାଶୁଣି ରେ ରକ୍ତଦାନ ଶିବିର, ଏବଂ କଳମ ଛୁଇଁ, ଅନୁଗୁଳ ରେ ଜୀବନସାଥୀ ଫାଉଣ୍ଡେସନ ର ସହଭାଗିତାରେ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର।

ଭୁବନେଶ୍ୱରର ଦୁଇ ଶିବିରକୁ କମିଶନରେଟ ପୋଲିସ ଏସିପି ତଥା ରେଡ଼କ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ ଲଳିତେନ୍ଦୁ ମହାନ୍ତି, ଓଡିଶା ମୋ ପରିବାର, ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ସଂଯୋଜକ ଡ଼. ପ୍ରକାଶ ତ୍ରିପାଠୀ ଏବଂ ଆରାଇଜ ୟୁଥ ୟୁନିଅନ ର ପ୍ରତିଷ୍ଠାତା ଜିତେନ୍ଦ୍ରିୟ ସଢଙ୍ଗୀ, ମେଟ୍ରୋ ଟିଭିର ସମ୍ପାଦକ  ପ୍ରକାଶ ରଥ ଉଦ୍ଘାଟନ କରିଥିଲେ। ସେହିପରି ଅନୁଗୁଳ ଶିବିରକୁ ଉଦଘାଟନ କରିଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ସାହୁ ଓ ଜୀବନ ସାଥି ଫାଉଣ୍ଡେସନର ଅଧ୍ୟକ୍ଷ  ଯୋଗେନ୍ଦ୍ର ସାହୁ ଉଦ୍ଘାଟନ କରିଥିଲେ। କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଭୁବନେଶ୍ୱର ଓ ବି ଏମ୍ ସି ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଭୁବନେଶ୍ୱରର ଦୁଇଟି ଶିବିରରୁ ଏବଂ ଅନୁଗୁଳ ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଅନୁଗୁଳ ଶିବିରରୁ ରକ୍ତ ସଂଗୃହୀତ ହୋଇଥିଲା।

ସମସ୍ତ ରକ୍ତଦାତାଙ୍କୁ ସଦାଶିବ ଜେନା ଉପସ୍ଥିତ ରହି କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ। ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟ ସଦସ୍ୟା ମାନେ ଶିବିର ପରିଚାଳନା କରିଥିଲେ। କରୋନା ମହାମାରୀ ସମୟରେ ଏହା ସମର୍ପିତ ଓ ସେବା ଫାଉଣ୍ଡେସନର ୩୧ ତମ ଓ କମିଶନରେଟ ପୋଲିସ ସହଭାଗିତାରେ ୧୦ମ ରକ୍ତଦାନ ଶିବିର ଅଟେ।