ଭୁବନେଶ୍ୱର : ବିଧାନସଭାରେ ୧୧୨ ଆସନ ଦଖଲ କରିଥିବା ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ନିଜର ଦଳ କିମ୍ବା ଦଳପତି ନବୀନ ପଟ୍ଟନାୟକଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି । ବିରୋଧି ବିଜେପି ଓ କଂଗ୍ରେସ ସିଧାସଳଖ ବିଜେଡି ମୁଖିଆଙ୍କୁ ଟାର୍ଗେଟ କରୁଥିବାବେଳେ ବିଜେଡିର ଜଣେହେଲେ କେହି ସେଭଳି ସୁରକ୍ଷା ଦେବାକୁ ଆଗେଇ ଆସୁନାହାନ୍ତି । ଗତ ବିଧାନସଭା ଅଧିବେଶନରୁ ବିଜେଡି ରାଜନୀତିରେ ଏଭଳି ଅବସ୍ଥା ଲକ୍ଷ୍ୟ କରାଯାଉଛି ।
ଗତକାଲି ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମବୀ ଶିବରାଜ ସିଂହ ଚୌହାନ ଓଡିଶା ଗସ୍ତରେ ଆସି ସିଧାସଳଖ ମୁଖ୍ୟମବୀଙ୍କ ଉପର ଆକ୍ରମଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଶାସନ ଚଳାଉ ନାହାନ୍ତି ଓ ରାଜ୍ୟର ଭାଷା ଓଡିଆ ଶିଖିପାରୁ ନାହାନ୍ତି ବୋଲି କହିଛନ୍ତି । ଏହାବାଦ୍ କେତେକ ଯୋଜନାର ବିଫଳତା ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ବିଜେପିର ଜଣେ ଜାତୀୟ ସ୍ତରର ନେତାଙ୍କ ଏଭଳି ଆକ୍ରମଣକୁ କିନ୍ତୁ ବିଜେଡି ଯେଭଳି ଭାବେ କାଉଣ୍ଟର କରିବାକଥା ତାହା କରିପାରିଥିବା ଦେଖିବାକୁ ମିଳୁନାହିଁ । ଦଳର କୌଣସି ମନ୍ତ୍ରୀ, ବିଧାୟକ ଗଣମାଧ୍ୟମରେ ଶିବରାଜଙ୍କୁ ମୁହଁତୋଡ ଜବାବ ଦେବାକୁ ଆଗେଇ ଆସୁନାହାନ୍ତି । ସେହିଭଳି ରାଜ୍ୟ ବିଜେଡି ଗଣପ୍ୟାରେଡ ବନ୍ଦ ଆଳରେ ଅଙ୍ଗୁଳି ନିର୍ଦ୍ଦେଶ କରି ପ୍ରେସ୍ ରିଲିଜ ଜାରି କରିଥିବାବେଳେ ଏହାକୁ ଯେଭଳି ପ୍ରତିହତ କରିବାକଥା ତାହା ହେଲାନାହିଁ ।
ବିଜେଡି ପକ୍ଷରୁ ପ୍ରତିବାଦ ଲେଖାଟିଏ ବି ଜାରି କରାଗଲାନାହିଁ । ବିଜେପି ହଠାତ୍ ଏଭଳି ଆକ୍ରମଣ ଆରମ୍ଭ କରିବା ସହିତ ଆଗାମୀ ନିର୍ବାଚନରେ ଓଡିଶା ଦଖଲ କରିବ ବୋଲି ରଣହୁଙ୍କାର ଦେଇଥିବାବେଳେ ବିଜେଡି କିନ୍ତୁ ଏକ ପ୍ରକାର ମୁହଁ ଲୁଚାଇଲା ଭଳି ଅବସ୍ଥା ହୋଇଛି । ମାଳ ମାଳ
ମନ୍ତ୍ରୀ, ବିଧାୟକ ଓ ଦଳୀୟ ମୁଖପାତ୍ର ଗଣମାଧ୍ୟମରେ ଦେଖାଦର୍ଶନ ଦେଉନାହାନ୍ତି । ଖୋଦ୍ ଦଳପତିଙ୍କୁ ସୁରକ୍ଷା ଦେଇପାରୁ ନଥିବା ଦଳୀୟ ନେତାଙ୍କ ଏଭଳି ବିକଳିଆ ଅବସ୍ଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଶିବରାଜ କିମ୍ବା ରାଜ୍ୟ ବିଜେପି ନୁହେଁ, ଗତ ବିଧାନସଭା ଅଧିବେଶନ କାଳରେ ଗୃହ ଭିତରେ ଓ ବାହାରେ କଂଗ୍ରେସ ନେତାଙ୍କ ଶାଣିତ ଆକ୍ରମଣକୁ ବି ବିଜେଡି ନେତାମାନେ ସେଭଳି କାଉଣ୍ଟର କରିପାରିନଥିଲେ ।
ଏପରିକି ବିଧାନସଭାରେ କଂଗ୍ରେସ ନେତାମାନେ ବିଭିନ୍ନ ପ୍ରସଙ୍ଗରେ ବାଚସ୍ପତିଙ୍କୁ ଘେରି ଯାଉଥିବାବେଳେ ବିଜେଡି ନେତାମାନେ କେବଳ ନିରବଦ୍ରଷ୍ଟା ସାଜିଥିଲେ । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ କୁମାର ରାଉତରା ଓ ତାରାପ୍ରସାଦ ବାହିନିପତି ସରକାରକୁ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ ଶାସକଦଳ ଯେଭଳି ଭାବେ ବାଚସ୍ପତି ଓ ସରକାରକୁ ସୁରକ୍ଷା ଦେବାକଥା ତାହା ଲକ୍ଷ୍ୟ କରାଯାଉନଥିଲା । ନିର୍ବାଚନ ପୂର୍ବରୁ ବିଜେଡିର ମୁଖପାତ୍ରମାନେ ଯେଭଳି ଜବାବ ଦେବାକୁ ରାତି ଉଜାଗର ହେଉଥିଲେ ତାହା ଆଉ ନାହିଁ । ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ରାଜ୍ୟସଭାକୁ ଯିବାପରେ ଅନ୍ୟ ମୁଖପାତ୍ର ଆଉ ଦେଖାଦର୍ଶନ ଦେଉନାହାନ୍ତି । ଏହାରି ସୁଯୋଗରେ ଉଭୟ ବିଜେପି ଓ କଂଗ୍ରେସ ଏବେ ବିଜେଡି ଓ ଦଳର ସଭାପତି ନବୀନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିବାବେଳେ ସେମାନଙ୍କୁ କେବେ ଦଳୀୟ ନେତା ସୁରକ୍ଷା ଦେବେ ତାହାକୁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
