କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଳପଡା ପୋଲ ନିକଟରେ ଗତକାଲି ରାତିରେ ୩ଜଣ ଠିକାଦାରଙ୍କ ଉପରକୁ କେହି ଦୁବୃର୍ତ୍ତ ଗୁଳିମାଡ କରିଛନ୍ତି । ଗୁଳିମାଡରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ବିନୋଦ ସାହୁ ଓ ରାଜେଶ ମୁଦୁଲି । ବିନୋଦଙ୍କ ପେଟ ଓ ଛାତିରେ ଦୁଇଟି ଗୁଳି ବାଜିଥିବl ବେଳେ ରାଜେଶଙ୍କ ପିଠିରେ ଗୋଟିଏ ଗୁଳି ବାଜିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ବିନୋଦ ସାହୁ, ରାଜେଶ ମୁଦୁଲି ଓ ରଞ୍ଜନ ଭୂୟାଁ ଏକ ବାଇକ୍ ଯୋଗେ ବଚ୍ଛରେଇ ଗାଁକୁ ଫେରୁଥିଲେ । କଳପଡା ପୋଲ ନିକଟରେ ୩ଜଣ ଦୁବୃର୍ତ୍ତ ବାଇକ୍ ଯୋଗେ ପଛପଟୁ ଆସି ତାଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ । ଏହି ତିନି ଜଣ ବାଇକରୁ ପଡିଯିବା ପରେ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଥିଲେ । ତେବେ ବ୍ୟବସାୟିକ ଶତ୍ରୁତା କାରଣରୁ ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି । ଅନ୍ୟପକ୍ଷରେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
