ସତ୍ୟପାଠ ସହିତ ଭିଡିଓ କ୍ଲିପିଙ୍ଗ ବି ଦାଖଲ
ଭୁବନେଶ୍ୱର : ବ୍ରାଉନସୁଗାର ବେପାରୀଙ୍କୁ ଧରି ପୁଲିସ୍ ବାହାବା ନେଇଥିବାବେଳେ ଏବେ ଧରାହୋଇଥିବା ବ୍ୟକ୍ତିଙ୍କ ପରିବାର ଅସଲ ଘଟଣା ପଦାକୁ ଆଣିବା ସହିତ ପୁଲିସ୍କୁ କାଠଗଡାକୁ ଟାଣିବା ଆରମ୍ଭ କରିଛନ୍ତି । ପୁଲିସ୍ ଗିରଫ କରିଥିବା ଦୁଇଜଣଙ୍କ ପତ୍ନୀ ଏବେ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ଘଟଣା ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିଛନ୍ତି । ଏପରିକି ଜଣେ ଭିଡିଓ ଫୁଟେଜ ଦେଇଥିବାବେଳେ ଆଉଜଣେ ସିସିଟିଭି ଫୁଟେଜକୁ ତଦନ୍ତ ପରିସରକୁ ଆଣିବାକୁ ପ୍ରାର୍ଥନା କରିଛନ୍ତି । ଉଲ୍ଲେଖନୀୟ ଯେ ଗତମାସ ୧୫ ତାରିଖରେ ବ୍ରାଉନସୁଗାର ବେପାର ଅଭିଯୋଗରେ ପୁଲିସ୍ ୩ଜଣଙ୍କୁ ଖୋରଧାର ପିତାପଲି ନିକଟରୁ ଗିରଫ କରିଥିବା ଦର୍ଶାଇଥିଲା ।
ଏମାନେ କୁଆଡେ ବାଲେଶ୍ୱରରୁ ବ୍ରାଉନସୁଗାର ନେଇ ଆସୁଥିବାବେଳେ ସ୍ୱତବ ସ୍କ୍ୱାଡ୍ ପୁଲିସ୍ ସେମାନଙ୍କୁ ସୂଚନା ଆଧାରରେ ମାଡି ବସିଥିଲା । ଯେଉଁ ତିନିଜଣ ଗିରଫ ହୋଇଥିଲେ ସେମାନେ ହେଲେ ସେକ୍ ଆଜାଦ, ସେକ୍ ଆଜବାହାର ଓ ରମାକାନ୍ତ ସାହୁ । ଏବେ ସେକ୍ ଆଜବାହାରର ପତ୍ନୀ ରେହେନା ବିବି ଓ ସେକ୍ ଆଜାଦର ପତ୍ନୀ ଜାହାନାରା ବେଗମ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରେହେନା ବିବି ଦର୍ଶାଇଛନ୍ତି ଯେ ତାଙ୍କ ସ୍ୱାମୀ ୧୫ ଜୁଲାଇ ସକାଳ ସମୟରେ ଏମ୍ସରେ ଚିକିତ୍ସିତ ହୋଇଥିବା ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲେ । ଫାଟକ ସ୧ୁଖରେ ଦୁଇ ତିନିଜଣ ଛିଡାହୋଇ ଆଲୋଚନା କରିବା ସମୟରେ ପୁଲିସ୍ ତାଙ୍କୁ ଉଠାଇ ନେଇଥିଲା । ଏମ୍ସରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କଲେ ସତ୍ୟ ପଦାକୁ ଆସିବ । ସେହିଭଳି ସେକ୍ ଆଜାଦର ପତ୍ନୀ ଜାହାନାରା ବେଗମ ଦର୍ଶାଇଛନ୍ତି ଯେ ତାଙ୍କ ପତି ଜଣେ ବିଲ୍ଡର । ଲକ୍ଷ୍ମୀସାଗର ଅଞ୍ଚଳରେ ସେ ରହୁଥିବାବେଳେ ୪୦ରୁ ୫୦ ଟି କୋଠା ନିର୍ମାଣ କରିଛନ୍ତି । ଘଟଣାଦିନ ପୁଲିସ୍ ତାଙ୍କୁ ବଳପୂର୍ବକ ଘରୁ ଉଠାଇ ନେଇଥିଲା । ଡ୍ରଗ୍ସ କାରବାରରେ ଯେଉଁ ଗାଡିଟି ପୁଲିସ୍ ଜବତ କରିଛି ବୋଲି ଦର୍ଶାଉଛି ତାହାକୁ ତାଙ୍କ ଘର ନିକଟରୁ ପୁଲିସ୍ କ୍ରେନ ଲଗାଇ ଉଠାଇ ନେଇଥିଲା । କାରକୁ ପୁଲିସ୍ ଉଠାଇ ନେବାର ଭିଡିଓ ସେ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି । ଗିରଫ ହୋଇଥିବା ତୃତୀୟ ଅଭିଯୁକ୍ତଙ୍କ ସମ୍ପର୍କୀୟମାନେ ଖୁବ୍ଶୀଘ୍ର ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବେବୋଲି ସୂଚନା ଦେଇଥିବାବେଳେ ଗିରଫ ରମାକାନ୍ତଙ୍କୁ ପୁଲିସ୍ ଟଙ୍କପାଣି ଇଲାକାରୁ ଗୋଟିଏ ଗ୍ୟାରେଜ ନିକଟରୁ ଗିରଫ କରିଥିବା କହିଛନ୍ତି । ପୁଲିସ୍ ଗିରଫ ସମୟର ସିସିଟିଭି ଫୁଟେଜ ସେମାନଙ୍କ ନିକଟରେ ଥିବା ସୂଚନା ଦେଇଛନ୍ତି । ତେବେ ଉପରୋକ୍ତ ଦୁଇଜଣଙ୍କ ପତ୍ନୀ ସତ୍ୟପାଠ ଆକାରରେ କମିଶନଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କରିଥିବାବେଳେ ଏଥିରେ କ୍ରାଇମବ୍ରାଞ୍ଚର ଏସ୍ପି, ଭୁବନେଶ୍ୱର ଡିସିପି ଓ ଏସ୍ଟିଏଫ୍କୁ ପକ୍ଷ କରିଛନ୍ତି । ଏହି ଘଟଣା ଆଗକୁ କି ମୋଡ ନେବ ତାହା ଉପରେ ଏବେ ସମସ୍ତଙ୍କ ନଜର ଥିବାବେଳେ ବ୍ରାଉନସୁଗାର ଧରି ବାହାବା ନେଇଥିବା ପୁଲିସ୍କୁ ଗିରଫ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଯେଭଳି ତଥ୍ୟ ପ୍ରମାଣ ସହିତ କାଠଗଡାକୁ ଟାଣିବା ଆରମ୍ଭ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
