ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୫-ଟି ଏବେ ତାହାର ରଙ୍ଗ ଦେଖାଇବା ଆରମ୍ଭ କରିଛି । ଇତି ମଧ୍ୟରେ ୧୫ କର୍ମଚାରୀ ଚାକିରିରୁ ବିଦା ହେବା ସହିତ ୨ଜଣଙ୍କ ପେନ୍ସନ ବନ୍ଦ ହେଲାଣି । ତେବେ ଏହାକୁ ନେଇ
ଦୁର୍ନୀତିଗ୍ରସ୍ତ କର୍ମଚାରୀ ଯେତେ ଭୟଭୀତ ତାହାଠାରୁ ଅଧିକ ଭୟ ପାଇଲେଣି ୫-ଟିକୁ ଲାଗୁ କରିବାକୁ ମନ ଦେଉନଥିବା
ବାବୁମାନେ । କାରଣ ଠକିବାର ଆଉ ବାଟ ନାହିଁ । ଯେମିତି ହେଲେ ଯୋଜନାକୁ ନିଜ ନିଜ ବିଭାଗରେ କାର୍ଯ୍ୟକାରୀ କରିବାକୁ ପଡିବ । ଏଥି ପୂର୍ବରୁ ମୁଖ୍ୟମନ୍ତ୍ରୀ ୩-ଟି ଘୋଷଣା କରିଥିଲେ । ହେଲେ ସେତେବେଳେ କିଛି ସରକାରୀ ବାବୁ ଏହାକୁ ମନଧ୍ୟାନ ଦେଇ କାର୍ଯ୍ୟକାରୀ କରି ନଥିଲେ । କାରଣ ଏଥିପାଇଁ କେହି ଦାୟିତ୍ୱରେ ନଥିଲେ କି କାହାକୁ ଉତ୍ତରଦାୟୀ କରାଯାଇ ନଥିଲା ।
ହେଲେ ଏବେ ସ୍ଥିତି ବଦଳିଛି । ମୁୁୁୁଖ୍ୟମନ୍ତ୍ରୀ ୫-ଟି ସଚିବ ଭାବେ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନିଯୁକ୍ତି ଦେବାପରେ ଅଫିସରମାନଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଛି । ଯେମିତି ହେଉ ନିଜ ନିଜ ବିଭାଗରେ ଏହାକୁ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡିଛନ୍ତି । କାରଣ ଯଦି କୌଣସି ଠାରେ ଅଧିକାରୀମାନେ ଖସିବାକୁ ଚେଷ୍ଟା କରିବେ ତେବେ କଥାଟି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଯିବ । ଇତି ମଧ୍ୟରେ ମନ୍ତ୍ରୀମାନ ମଧ୍ୟ ନିଜ ନିଜ ବିଭାଗରେ ୫-ଟି କାର୍ଯ୍ୟକାରୀ ନେଇ ସମୀକ୍ଷା ଆରମ୍ଭ କରିଛନ୍ତି । ଯେଉଁଠାରୁ ଯାଉଛନ୍ତି ସେଠାରେ ମୁଖ୍ୟମନ୍ତ୍ରୀ ୫-ଟି ଆଧାରରେ କାମ କରିବାକୁ ପରାମର୍ଶ ଦେଉଛନ୍ତି । ବିଶେଷକରି ସରକାରରେ କିଭଳି ସ୍ୱଚ୍ଛତା ଅବଲମ୍ବନ କରାଯାଇ ପାରିବ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଯେହେତୁ ମନ୍ତ୍ରୀମାନ ୫-ଟି କଥାଟି ବାରମ୍ବାର କହୁଛନ୍ତି ତେଣୁ ସଚିବମାନେ ବାଧ୍ୟହୋଇ ଏହାକୁ ଗୁରୁତ୍ୱ ଦେଉଛନ୍ତି । ତେଣେ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବାରମ୍ବାର ୫-ଟିର ସମୀକ୍ଷା ହେଉଛି । ଏହାବାଦ୍ ୫-ଟି ଦାୟିତ୍ୱରେ ଥିବା ସଚିବ ବି ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବେ । ମନ୍ତ୍ରୀମାନ ଏବେ ପ୍ରତିମାସର ୭ତାରିଖ ମଧ୍ୟରେ ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରୁଥିବାରୁ ତାହାର ବି ତର୍ଜମା କରାଯାଉଛି । ରାଜ୍ୟ ସରକାର ଯେତେ ଜନହିତକର ଯୋଜନା ଆରମ୍ଭ କଲେ ବି କେତେକ ସ୍ଥାନରେ ସରକାରୀବାବୁ ମାନେ ଏଥିରେ ଘଳିଆ କରିବାକୁ ପଛାଉ ନାହାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ୫-ଟି ।
ଆସନ୍ତା ଗାନ୍ଧୀଜୟନ୍ତୀରୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ମୋ ସରକାର ଯୋଜନା । ତେଣୁ ଏହା ପୂର୍ବରୁ ୫-ଟିକୁ ସବୁ ବିଭାଗରେ ସଚିବାଳୟରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କଡାକଡି ଭାବେ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ଯେଉଁ କିଛି ଅଫିସର ୫-ଟିକୁ ମୁହଁ ମୋଡୁଥିଲେ ସେମାନେ ଏବେ ଏକ ପ୍ରକାର ଅକଳରେ ପଡିଛନ୍ତି । କାରଣ ଏହି ବିଭାଗରେ ଏବେ ଜଣେ ସଚିବ ନିଯୁକ୍ତ ହୋଇଛନ୍ତି । ଯେତେବେଳେ ଯେଉଁ ବିଭାଗ ସଂକ୍ରାନ୍ତରେ ଚାହିଁବେ ସମୀକ୍ଷା କରିବେ । ତେଣୁ ଯିଏ ଢିଲା ମାରିବ ସିଏ ହଇରାଣ ହେବବୋଲି । ଜଣାପଡିବା ପରେ ଏ ଦିଗରେ ମନ ଦେଉନଥିବା ବାବୁମାନେ ଏବେ ମନଧ୍ୟାନ ଦେଇ କାମରେ ଲାଗିଥିବା ଦେଖିବାକୁ ମିଳୁଛି । ( ଭୁବନେଶ୍ୱରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
