Odia News Portal

ମୋ ବସ : ସେପ୍ଟେମ୍ବର ୧ରୁ ବିନା ଟିକେଟ୍ ରେ ଯାତ୍ରା କଲେ ଜୋରିମାନା

ଭୁବନେଶ୍ବର : ବିନା ଟିକେଟ୍ ଯାତ୍ରୀଙ୍କ ଉପରେ ଆସନ୍ତା ୧ ସେପ୍ଟେମ୍ବର ୨୦୧୯ ତାରିଖରୁ କ୍ୟାପିଟାଲ୍ ରିଜନ୍ ଅରବାନ୍ ଟ୍ରାନ୍ସପୋର୍ଟ ଜୋରିମାନା ଜାରି କରିବ । ଏହାର ପରିମାଣ ଟିକଟ ମୂଲ୍ୟର ୧୦ ଗୁଣ କିମ୍ବା ୫୦୦ ଟଙ୍କା (ଯେଉଁଟା କମ୍‍ ହେବ) ଆଦାୟ କରାଯିବ । ତେଣୁ କୃଟ ଅନୁରୋଧ କରୁଛି ଯାତ୍ରୀ ମାନେ ଟିକେଟ୍ ନିରିକ୍ଷକ ଦଳ ସହିତ ସହଯୋଗ କରନ୍ତୁ ଏବଂ ଉପଯୁକ୍ତ ଟିକେଟ୍ ଓ ମାସିକ ପାସ୍ ଯାତ୍ରା ସମୟରେ ବ୍ୟବହାର କରନ୍ତୁ ।

କୃଟ ପକ୍ଷରୁ କୁହାଯାଇଛି ଯେ “କିଛି ଯାତ୍ରୀ ମୋ ବସରେ ଯାତ୍ରା ସମୟରେ ଉପଯୁକ୍ତ ମୁଲ୍ୟର ଟିକେଟ୍ କରୁନାହାନ୍ତି ଯାହା ଫଳରେ ଆମ ରାଜକୋଷର ରାଜସ୍ୱ କ୍ଷତିଗ୍ରସ୍ତ ହେଉଛି । ଯାତ୍ରୀ ମାନଙ୍କ ଅନୁଶାସନ ପାଇଁ ଆଗାମୀ ଦିନରେ ଟିକେଟ୍ ନିରୀକ୍ଷଣର ମାତ୍ରା ବଢିବ ଏବଂ ବିନା ଟିକେଟ୍ ଯାତ୍ରୀଙ୍କୁ ଦଣ୍ଡିତ କରାଯିବ ଓ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ।

ଧାରା ୧୨୪ ଓ ୧୭୮, ୧୭୯(୧), ୧୭୯(୨) ମୋଟର ଆକ୍ଟ ୧୯୮୮ ଅନୁସାରେ ଯେକୌଣସି ଯାତ୍ରୀ ବିନା ଟିକେଟ୍ କିମ୍ବା ପାସ୍ରେ ଯାତ୍ରା କଲେ ନ୍ୟାୟଗତ ଭଡାର ୧୦ଗୁଣା ଅଥବା ୫୦୦ଟଙ୍କା (ଯେଉଁଟି କମ୍ ହେବ) ଜୋରିମାନା ଦେବେ । ଅସହଯୋଗ କଲେ କିମ୍ବା କାର୍ଯ୍ୟରତ ନିରିକ୍ଷକ ଦଳର ପ୍ରତିରୋଧ କଲେ ମଧ୍ୟ ୫୦୦ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ବସ୍ର ଯାତ୍ରା ଯେଉଁଠାରୁ ଆରମ୍ଭ ହୋଇଥିଲା (Trip Origin) ଏବଂ ଯାହା ତା’ର ଗନ୍ତବ୍ୟ ସ୍ଥଳ (Trip Destination), ସେତିକି ଦୂରତା ପାଇଁ ଆଦାୟ କରାଯାଉଥିବା ଭଡାକୁ ନ୍ୟାୟଗତ ଭଡା କୁହାଯାଏ ।

ବର୍ତମାନ ଦ୍ୱୈତନଗରୀର ୨୦ ଟି ରୁଟ୍ରେ ଦୈନିକ ୭୦୦୦୦ ଯାତ୍ରୀମାନଙ୍କୁ ନେଇ ଉକ୍ରୃଷ୍ଟ ଜ୍ଞାନକୌଶଳ, ମାଗଣା ୱାଇ ଫାଇ ଏବଂ ଅନ୍ୟନ୍ତ ସ୍ୱଚ୍ଛ ୨୦୦ ଟି ବସ୍ ଯାତାୟତ କରୁଛି ।