ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଅଟୋଷ୍ଟାଣ୍ଡ୍ରେ ମୁଖିଆ ସାଜିଥିବା କିଛି ଦାଦାଙ୍କୁ ଏବେ ପୁଲିସ୍ ଡରୁଛି । ଗତ ଦୁଇଦିନ ଧରି ରାଜଧାନୀରେ ଅଟୋଚାଳକଙ୍କ ଆତଙ୍କରାଜ ଘଟଣା ପରେ ଏଭଳି ଆଲୋଚନା ଜୋର ଧରିଛି । ପୁଲିସ୍ ଛତ୍ରଛାୟାତଳେ ବଢିଥିବା ଏହି ଅସାମାଜିକ ଯୁବକମାନେ ଏବେ ଖାକିବାବୁଙ୍କ ପାଇଁ ସମସ୍ୟା ହେଲେଣି । ଗତ ଦୁଇଦିନରେ ଅଟ ସଂଘ ଗୁଡିକ ସୀମା ଟପିଗଲେଣି । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଉବେର ଅଟୋ ଡାକି ଯିବା ବେଳକୁ ଅଟୋଚାଳକମାନେ ସଂଘବଦ୍ଧ ହୋଇ ଉବେର ଅଟୋ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବି ଆହତ ହୋଇଥିଲେ । ଏହି ଘଟଣା ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିଥିଲା । ଏହାର ଦିନଟିଏ ପରେ ଗତ କାଲି ଖଣ୍ଡଗିରି ଥାନା ଅଞ୍ଚଳରେ ଯାତ୍ରୀ ଉଠାଇବାକୁ ନେଇ ଛଅଜଣ ଅଟୋଚାଳକ ଫିଲ୍ମ ଷ୍ଟାଇଲରେ ରାସ୍ତା ମଝିରେ ମୋ ବସ୍ ଡ୍ରାଇଭରଙ୍କୁ ବାଡେଇବା ସହିତ କଣ୍ଡକ୍ଟରଙ୍କ ଟିକଟ କଟା ମେସିନ୍କୁ ନେଇ ଯାଇଛନ୍ତି ।
ଏହି ଘଟଣାରେ ୪ଜଣ ଅଟୋଚାକ ଗିରଫ ହୋଇଥିବାବେଳେ ଆଉ ଦୁଇଜଣଙ୍କୁ ପୁଲିସ୍ ଖୋଜୁଛି ।ତେବେ ଅଧିକାଂଶ ଅଟୋଷ୍ଟାଣ୍ଡ ଗୁଡିକରେ ଏଭଳି ଘଟଣା ଦୈନନ୍ଦିନ ଘଟୁଛି । ଷ୍ଟାଣ୍ଡ ନିକଟରେ ଛିଡା ହୋଇଥିବା କୌଣସି ଲୋକ ଅନ୍ୟ ଅଟୋ କିମ୍ବା କୌଣସି ଚାରିଚକିଆ ଯାନରେ ଯିବା ଉପରେ ଅଘୋଷିତ କଟକଣା ଜାରି ହୋଇଛି । ଯଦି ବ୍ୟକ୍ତିଗତ ଗାଡି ହୋଇଥିବ ତେବେ ଅଟୋସଂଘର ଦାଦାମାନେ ଆସି ବି ପଚାରି ବୁଝୁଛନ୍ତି । ଅଟୋଷ୍ଟାଣ୍ଡ ନିକଟରେ ଯାତ୍ରୀମାନେ ପ୍ରତିଦିନ ପ୍ରାୟ ଏଭଳି ଅସଭ୍ୟ ବ୍ୟବହାର ଓ ଆକ୍ରମଣର ଶିକାର ହେଉଥିବାବେଳେ କାଁ ଭାଁ କେତୋଟି ଘଟଣା ଗଣମାଧ୍ୟମ ଜରିଆରେ ପଦାକୁ ଆସୁଛି । ହେଲେ ରାସ୍ତାଉପରେ ଅଟୋଷ୍ଟାଣ୍ଡ କରି ହାତରେ ବାଡି ଧରି ସେଠାରେ ପଇଁତରା ମାରୁଥିବା ଏହି ଯୁବକମାନେ କାହା ବଳରେ ବଳିୟାନ ।
ସୂଚନା ଅନୁଯାୟୀ ଅଧିକାଂଶ ଅଟୋସଂଘର ଏହି ଦାଦା ଓ ସ୍ଥାନୀୟ ଥାନାର କର୍ମଚାରୀମାନଙ୍କର ଭାଇ ଭାଇ ଭଳି ସମ୍ପର୍କ । ଥାନା ବାବୁମାନେ ମାସିକିଆ ବଟି ପାଇ ସବୁପ୍ରତି ଆଖିବୁଜି ଦେଉଛନ୍ତି । ଫଳରେ ଅଟୋ ଷ୍ଟାଣ୍ଡର ଦାଦାଙ୍କ ଠାରୁ ଆରମ୍ଭକରି ଡ୍ରାଇଭରଙ୍କ ପର୍ଯ୍ୟନ୍ତ ଆଉ ରାଜଧାନୀରେ କେହି ଇନ୍ଦ୍ର ଚନ୍ଦ୍ର ମାନିବା ଅବସ୍ଥାରେ ନାହାନ୍ତି । ପୁଲିସ୍ ବାବୁମାନଙ୍କ ଏଭଳି କୋହଳ ପଣ ଯୋଗୁଁ ସରକାର ପିଙ୍କ୍ ଅଟୋ ଭଳି ଯେତେ ଯୋଜନା କଲେ ବି କିଛି ସୁଫଳ ମିଳୁନାହିଁ । ଅଟୋ ସଂଘର ଦାଦା ଓ ଚାଳକଙ୍କ ଦୌରାମ୍ୟ ଯୋଗୁଁ ରାଜଧାନୀରେ ଲୋକେ ସେମାନଙ୍କ ହାତରେ ହିଁ ଶୋଷଣର ଶିକାର ହେଉଛନ୍ତି । କାରଣ ସାଧାରଣ ଅଟୋ ତୁଳନାରେ ଓଲା କିମ୍ବା ଉବେର ଅଟୋରେ ଭଡା ବେଶ୍ କମ୍ ରହୁଛି । ଏପରିକି ଏହି ଦୁଇ ସଂସ୍ଥାର ଏସି କାରରେ ଗଲେ ବି କମ୍ ଭଡା ଦେବାକୁ ପଡୁଛି । କମିଶନରେଟ ପୁଲିସ୍ ନା ନିଜେ ପ୍ରିପେଡ୍ ଅଟୋ ବ୍ୟବସ୍ଥା କରୁଛି ନା ଅଟୋ ସଂଘର ଦାଦାମାନଙ୍କୁ ନିୟବଣ କରୁଛି । ମାସିକିଆ ବଟି କାରବାର ଯୋଗୁଁ ଖୋଦ ରାଜଧାନୀରେ ସମସ୍ତଙ୍କ ଆଖି ସାମ୍ନାରେ ଏଭଳି ଘଟଣା ଘଟୁଥିବାବେଳେ ନୂଆ ପୁଲିସ୍ କମିଶନର ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏବେ ଦାବି ଉଠିଲାଣି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
