Odia News Portal

ଅଗ୍ନିଶମ ଓ ହୋମଗାର୍ଡ ଆଇ.ଜି ଭାବେ ଅସିତ ପାଣିଗ୍ରାହୀଙ୍କ ଯୋଗଦାନ

ଭୁବନେଶ୍ବର : ୧୯୯୭ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଆଜି ଅଗ୍ନିଶମ ଓ ହୋମଗାର୍ଡ ଆଇଜି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ବିଭାଗର ଡିଜି ବିଜୟକୁମାର ଶର୍ମା ବର୍ତ୍ତମାନ ଡିଜିପି ଭାବେ ଦାୟିତ୍ବ ତୁଲାଉଥିବାରୁ ଶ୍ରୀପାଣିଗ୍ରାହୀଙ୍କ ଉପରେ ସମସ୍ତ ଦାୟିତ୍ବ ନ୍ୟସ୍ତ ହୋଇଛି । ବିଜୟ କୁମାର ଶର୍ମା ଅଗ୍ନିଶମବିଭାଗର ମହାନିର୍ଦ୍ଦେଶକ ପଦରେ ଥିବାବେଳେ ବହୁ ସଂସ୍କାର ମୂଳକ ଓ ଲୋକାଭିମୁଖୀ ପଦକ୍ଷେପ ନେବା ସହ ଆଇନକୁ କଡାକଡି ଭାବେ ଲାଗୁ କରିଥିଲେ । ସେହି ପ୍ରକ୍ରିୟାକୁ ଆଗକୁ ବଢାଇବା ଲାଗି ଉଦ୍ୟମ କରିବି ବୋଲି ଦାୟିତ୍ବ ନେବାପରେ ଅସିତ ପାଣିଗ୍ରାହୀ କହିଛନ୍ତି ।

ଅସିତ ପାଣିଗ୍ରାହୀ ୨୦୧୫ ମସିହାରେ ଆଜି ପାହ୍ୟାକୁ ପଦୋନ୍ନୋତି ପାଇବା ପରେ ବାଲେଶ୍ବର ରେଂଜର ଆଇଜି , କ୍ରାଇମବ୍ରାଞ୍ଚର ଆଜି ଭାବେ ସଫଳତାର ସହ ଦାୟିତ୍ବ ତୁଲାଇବାପରେ ହେଡକ୍ବାଟର ଆଇଜି ଭାବେ କାର୍ଯ୍ୟଭାର ତୁଲାଉଥିଲେ ।  ନିଜ କାର୍ଯ୍ୟକାଳଭାବେ ଶ୍ରୀ ପାଣିଗ୍ରାହୀ ମାଲକାନଗିରି, ଅନୁଗୁଳ, ନୟାଗଡ, ଯାଜପୁର, ସମ୍ବଲପୁର, ପୁରୀ, କେନ୍ଦୁଝର ଆଦି ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଛନ୍ତି ।ନକ୍ସଲ ଉପଦୃତ ମାଲକାନଗିରି ଜିଲ୍ଲାର ଏସପିଭାବେ ତାଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ ଥିଲା ।

ଜଣେ ଦକ୍ଷ ଓ ସଚ୍ଚୋଟ ପୋଲିସ ଅଧିକାରୀଭାବେ ଖ୍ୟାତି ଅର୍ଜନ କରିଥିବା ଅସିତ ପାଣିଗ୍ରାହୀ କାର୍ଯ୍ୟରେ ଯୋଗ ଦେବାପରେ ବିଭାଗର କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ସହ ଲୋକାଭିମୁଖୀ କରିବେ ବୋଲି କହିଛନ୍ତି । ଓଡିଶା ସରକାର ୧୯୯୩ ମସିହାରେ ଫାୟାର ଆକ୍ଟ ପ୍ରଣୟନ କରିଥିଲେ । ୨୦୧୭ ମସିହାରେ ଏହାର ରୁଲ ଫ୍ରେମ ହୋଇଥିଲା । ୨୦୧୯ ମସିହାରେ ଏଥିରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି । ସମଗ୍ର ଦେଶରେ ଏହା ଏକ ଆଦର୍ଶ ଆଇନ ହୋଇଥିବାବେଳେ ଏହାକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ଆଜି ଶ୍ରୀ ପାଣିଗ୍ରାହୀ ଦାୟିତ୍ବ ଗ୍ରହଣ ପରେ କହିଛନ୍ତି ।