ରାଉରକେଲା : ଆଜି ରାଉରକେଲା ସରକାରୀ ହସ୍ପିଟାଲ ଆରଜିଏଚରେ ଦେଖିବାକୁ ମିଳିଥିଲା ଅସ୍ଥାୟୀ କର୍ମଚାରୀ ମାନଙ୍କ ଆନ୍ଦୋଳନ । ଅସ୍ଥାୟୀ କର୍ମଚାରୀ ମାନେ ଅଭିଯୋଗ ଆଣିଥିଲେ ଯେ, ବହୁ ପରିଶ୍ରମ କରି ହସ୍ପିଟାଲରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସଠିକ ସମୟରେ କୁଆଡେ ପାଉଣା ମିଳୁନି । ୨ମାସ ହେଲା ଦରମା ନପାଇବାରୁ ସେମାନଙ୍କ ତେଲଲୁଣ ସଂସାର ରଥକୁ ଚଳାଇବା ଏକ ପ୍ରକାର ଯେମିତି ମୁସ୍କିଲ ହୋଇ ପଡ଼ିଛି ବୋଲି ଆରଜିଏଚ କର୍ତୃପକ୍ଷଙ୍କୁ ବାରମ୍ବାର କହିବା ପରେ ମଧ୍ୟ କର୍ତୃପକ୍ଷ ସେମାନଙ୍କ ବୋଲ ନମାନିବାରୁ ଆଜି ଅସ୍ଥାୟୀ କର୍ମଚାରୀ ମାନେ ସମସ୍ୟା କିପରି ଲାଘବ ହେବ ତାହାକୁ ନେଇ ଗତରାତିରୁ ଯୋଜନା ପ୍ରସ୍ତୁତ କରି ବିଜେଡ଼ିର ବରିଷ୍ଠ ନେତା ଆନନ୍ଦ ବାବୁଙ୍କୁ ସାଙ୍ଗରେ ଧରି ଆରଜିଏଚ ଆସିଲେ । ବ୍ୟାନର ବନ୍ଧା ହେଲା । ତା’ପରେ ବ୍ୟାନର ଆଗରେ ବସିପଡ଼ି ନାରାବାଜି ଆରମ୍ଭ କରିଦେଲେ । ସେପଟେ ରୋଗୀ ଚୁଲିକୁ ଯାଆନ୍ତୁ… ଅବା ଯମପୁରକୁ ଏମାନେ ତିଳେ ମଧ୍ୟ ଖାତିର କଲେ ନାହିଁ ।
ତୁଣ୍ଡ ବାଇଦ ସହସ୍ରକୋଶ ଭଳି କଥାଟା ଯାଇ ରାଉରକେଲା ଭାଇଙ୍କ କାନରେ ପଡ଼ିଲା ! ଆରେ ଭାଇ ମାନେ ତ, ଗୋଟିଏ ଭାଇ ୟାର… ଆମ ସାରଦା ଭାଇ । ଅତି ତରବରିଆ ଭାବେ ବାଉଳା ହୋଇ ତାଙ୍କର ଚେଲା ଚାମୁଣ୍ଡା ମାନଙ୍କୁ ଧରି ଆରଜିଏଚରେ ପହଂଚିଗଲେ । ଆରଜିଏଚର ବାହାର ଭିତର ଦୁଇ ଚାରିଥର ଚନ୍ଦ୍ରଯାନ-୨ ପରି ଚକ୍କର କାଟି ରୋଗୀଙ୍କ ହାନିଲାଭ ବୁଝିଲେ । ଏପଟେ ଧାରଣା ଦେଉଥିବା ଅସ୍ଥାୟୀ କର୍ମଚାରୀ ମାନଙ୍କୁ କାମରେ ଯୋଗ ଦେବା ପାଇଁ ଯୋଡ଼ ହସ୍ତରେ ନେହୁରା କାଳେ ହେଲେ! ମାତର ଶେଷରେ ସବୁ ଯେମିତି ଫୁସୁକିଗଲା । ଶେଷରେ ରାଉରକେଲା ବିଧାୟକ ସେଠାରେ ଥିବା ରୋଗୀ ଓ ସେମାନଙ୍କ ଭାଇ ବନ୍ଧୁ କୁଟୁମ୍ବଙ୍କୁ ଦେଖାଇଲେ ନିଜର ଡ୍ରେସର ଅବତାର । ହାତରେ ଡ୍ରେସିଂ କନା ଧରି ରୋଗୀଙ୍କ ପାଖକୁ ଯାଇ ରୋଗୀଙ୍କ ଗୋଡ଼, ହାତରେ ଡ୍ରେସିଂ କରିବାକୁ ଲାଗି ପଡ଼ିଲେ । ତାଙ୍କର ଏଭଳି ଅବତାର ରୂପର ଦର୍ଶନ ରୋଗୀ କେବେ କରି ନଥିଲେ । ରୋଗୀଙ୍କ ଏଭଳି ସେବା ସାରଦା ଭାଇ କରୁଥିବା ବେଳେ ତାଙ୍କ ସହିତ ତାଙ୍କର ସମର୍ଥକ ମାନେ ଧିରେ ଧିରେ ଲାଗି ପଡ଼ିଲେ । କଥାଟା ଯାଇ ଧାରଣାରେ ଥିବା ଅସ୍ଥାୟୀ କର୍ମଚାରୀଙ୍କ କାନରେ ପଡ଼ିଲା ! ଚାକିରୀ ହରାଇବା ଭୟରେ ଅସ୍ଥାୟୀ କର୍ମଚାରୀ ମାନେ ଅଧା ପନ୍ତରିଆ ଭାବେ ଧାରଣା ସ୍ଥଳରୁ ଉଠିପଡ଼ି ହସସ୍ପିଟାଲ ପରିସରକୁ ଯାଇ ରାଉରକେଲା ବିଧାୟକଙ୍କ ସାଙ୍ଗରେ ରୋଗୀଙ୍କ ସେବା କରିବା ଆଜି ରାଉରକେଲା ସରକାରୀ ହସ୍ପିଟାଲକୁ ପୁରା ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ସେପଟେ ବିଧାୟକଙ୍କ ଏହି ଡ୍ରେସର ଅବତାରର ଚର୍ଚ୍ଚା ଏବେ ଏଠି, ସେଠି, ସବୁଠି ।