କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଡେରାବିଶ ବ୍ଲକ ଛତାଠାରେ ଥିବା ପଲିଟେକ୍ନିକ୍ ଅନୁଷ୍ଠାନକୁ ଯାଇ ଏହାର ସମସ୍ୟା ପଚାରି ବୁଝିବା ସହ ପିଲାମାନଙ୍କୁ ପାଠ ପଢାଇଥିଲେ । ଏହାସହ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ କିଛି ସମୟ ପାଠ ପଢାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ବର୍ମା ମଙ୍ଗଳବାର ପୂର୍ବାହ୍ନରେ ଛତା ପଲିଟେକ୍ନିକ୍ ତାଲିମ୍ କେନ୍ଦ୍ରର ସମସ୍ୟା ବିଷୟରେ ଅବଗତ ହୋଇ ଏହାର ମୁଖ୍ୟ ଫାଟକ ନୂଆଭାବେ ତିଆରି କରାଯିବ ବୋଲି ସୂଚନା ଦେଇଥିଲେ । ଏହାସହ କଲେଜ୍ ଗେଟ୍ ଠାରୁ ୫ ନମ୍ବର (କ)ଜାତୀୟ ରାଜପଥ ପର୍ଯ୍ୟନ୍ତ ଥିବା ରାସ୍ତାକୁ ନବୀକରଣ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଛାତ୍ରଙ୍କ ପାଇଁ ହଷ୍ଟେଲ୍ ତିଆରି କରିବା ଓ ଖେଳପଡିଆକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ । ଏହାସହ ଏହି ଅନୁଷ୍ଠାନର କୋଠାବାଡି ଓ ରାସ୍ତାର ରକ୍ଷଣା ବେକ୍ଷଣ ପାଇଁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଥିଲେ । ଏହି ଗସ୍ତ ସମୟରେ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରଦୀପ୍ତ ମହାନ୍ତି, ଏସ୍ଡିଓ ବିଜୟାନନ୍ଦ ଦାସ ଓ କଲେଜ୍ ଅଧ୍ୟକ୍ଷ ତନୁଜା ଦାସଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ ।