ନୂଆଦିଲ୍ଲୀ : ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପରେ ଡବଲ୍ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ଶଟଲର୍ ପ୍ରମୋଦ ଭଗତଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ମଙ୍ଗଳବାର ସମ୍ବର୍ଦ୍ଧନା କରିଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ପ୍ରମୋଦଙ୍କୁ ମୋଟ ୩୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ପ୍ରମୋଦ ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଏହାଛଡ଼ା କ୍ରୀଡ଼ା ମନ୍ତ୍ରୀ ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ପଦକ ଜିତିଥିବା ଖେଳାଳିମାନଙ୍କୁ ମୋଟ ୧.୮୨ କୋଟି ଟଙ୍କାର ପୁରସ୍କାର ରାଶି ବିତରଣ କରିଛନ୍ତି। ଏହା ପୂର୍ବରୁ ପାରା-ଆଥଲେଟଙ୍କ ପାଇଁ ନୀତିରେ ସଂଶୋଧନ କରାଯାଇଥିଲା, ଯଦ୍ଦ୍ୱାରା ସେମାନଙ୍କୁ ପୁରସ୍କାର ବାବଦକୁ ଅଧିକ ଅର୍ଥରାଶି ମିଳିପାରିଛି। ସଂଶୋଧନ ନୀତି ଅନୁଯାୟୀ, ବିଶ୍ୱସ୍ତରୀୟ ଇଭେଣ୍ଟର ବିଜେତା ସରକାରଙ୍କଠାରୁ ନଗଦ ଅର୍ଥରାଶି ପାଇବାକୁ ହକଦାର। ଏହି ପୁରସ୍କାର ସେହି ଖେଳାଳିମାନଙ୍କୁ ମିଳିବ, ଯିଏ ଅନ୍ତର୍ଜାତୀୟ ପାରାଅଲିମ୍ପିକ୍ କମିଟି କିମ୍ବା ଏହାର ମାନ୍ୟତାପ୍ରାପ୍ତ ଅନ୍ତର୍ଜାତୀୟ କ୍ରୀଡ଼ା ମହାସଂଘର ଆୟୋଜନରେ ପଦକ ଜିତିଥିବେ। ତେବେ ଏହି ପୁରସ୍କାର ବିଜେତାଙ୍କୁ ସେହିଦିନ ମିଳିବ, ଯେଉଁଦିନ ସେମାନେ ସ୍ୱଦେଶ ଫେରିବେ।