Odia News Portal

ରାଜ୍ୟ ଵ୍ୟାଡମିଣ୍ଟନ ଚାମ୍ପିୟନସିପ ଆରମ୍ଭ

ଭୁବନେଶ୍ୱର : ଓଡିଶା ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ସହଭାଗୀତାରେ ଓଡିଶା ରାଜ୍ୟ ଵ୍ୟାଡମିଣ୍ଟନ ଆସୋସିଏସନ୍ ତରଫରୁ ଚଳିତ ମାସ ୨୮ ତାରିଖ ଠାରୁ ସେପ୍ଟେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଶହୀଦ ନଗର ଇଣ୍ଡୋର ଷ୍ଟାଡିୟମରେ ‘ରାଜ୍ୟ ବ୍ୟାଡ୍ମିଂଟନ୍ ଚାମ୍ପିୟନ୍ସିପ୍ ୨୦୧୯’ ଆୟୋଜିତ ହୋଇଯାଇଛି ।

ରାଇରଖୋଲ ବିଧାନସଭା ନିର୍ବାଚନୀ ମଣ୍ଡଳର ମାନ୍ୟବର ବିଧାୟକ ତଥା ଓଡିଶା ରାଜ୍ୟ ଵ୍ୟାଡମିଣ୍ଟନ ଆସୋସିଏସନ୍ର ସଭାପତି ଶ୍ରୀଯୁକ୍ତ ରୋହିତ ପୂଜାରୀ ଏହି ପ୍ରତିଯୋଗିତାକୁ ଓଡିଶା ସରକାରଙ୍କ ଯୁବ ଓ କ୍ରୀଡା ବିଭାଗର ବହୁ ମାନ୍ୟଗଣ୍ୟ ଅତିଥିମାନଙ୍କ ଗହଣରେ ଵୁଧବାର ୧୦ ଘଟିକାରେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ପୂଜାରୀ କହିଥିଲେ ଯେ ଏହିପରି ଏକ ପ୍ରତିଯୋଗିତା ନିଶ୍ଚିତ ଭାବରେ ଓଡିଶାର ଯୁବ ପୀଢିମାନଙ୍କୁ କ୍ରୀଡା କ୍ଷେତ୍ର ପ୍ରତି ଅଧିକ ଆକୃଷ୍ଟ କରିବ । ସେ ପୁନଃଶ୍ଚ କହିଥିଲେ ଯେ ଏତାଦୃଶ ପ୍ରତିଯୋଗିତା ମାଧ୍ୟମରେ ଯୁବ ପୀଢିମାନଙ୍କୁ କ୍ରୀଡା କ୍ଷେତ୍ରରେ ଦକ୍ଷ କରିବା ସହିତ ରାଷ୍ଟ୍ରୀୟ ଏବଂ ଅର୍ନ୍ତରାଷ୍ଟ୍ରୀୟ କ୍ରୀଡା ନିମନ୍ତେ ପ୍ରସ୍ତୁତ କରାଯାଉଛି ।

ପରିଶେଷରେ ଏହିପରି କାର୍ଯ୍ୟକ୍ରମର ଆୟୋଜନରେ ସହାୟତା କରିଥିବାରୁ ସେ ଓଡିଶା ସରକାରଙ୍କ ଯୁବ ଓ କ୍ରୀଡା ବିଭାଗକୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସମବେତ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ ତଥା ସ୍ୱନାମଧନ୍ୟ ଖେଳାଳୀ ଶ୍ରୀଯୁକ୍ତ କମଳ ଦାସ କହିଥିଲେ ଯେ ଚଳିତ ଥର ଏହି ପ୍ରତିଯୋଗିତା ନିମନ୍ତେ ଅତି ଉଚ୍ଚକୋଟୀର ଆୟୋଜନ କରାଯାଇଛି ଏବଂ ଚଳିତ ଥର ନିମନ୍ତେ ଏହି ପ୍ରତିଯୋଗିତାରେ ରେକର୍ଡ୍ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଚଳିତ ବର୍ଷ ଏହି ପ୍ରତିଯୋଗିତାଟି ବିଏଆଇ ନିୟମ ଆଧାରିତ ଯଥାକ୍ରମେ ୧୩, ୧୫,୧୭, ୧୯ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ ଏବଂ ବରିଷ୍ଠ ଓ ପ୍ରବୀଣ ବର୍ଗରେ ଆୟୋଜନ କରାଯାଉଛି । ଏହି ଚାମ୍ପିୟନ୍ସିପ୍ ସିଙ୍ଗଲସ୍, ଡବଲସ୍ ଏବଂ ମିକ୍ସଡ୍ ଡବଲସ୍ ଶ୍ରେଣୀରେ ଆୟୋଜନ କରାଯାଉଛି । କ୍ୱାଲିଫାୟିଙ୍ଗ୍ ଏବଂ ଫାଇନାଲ୍ ପର୍ଯ୍ୟାୟ ଭିତିକ ଦୁଇ ଗୋଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ରାଜ୍ୟ ବ୍ୟାଡ୍ମିଂଟନ୍ ଆସୋସିଏସନ୍ ତରଫରୁ ୨୦୦ ଟଙ୍କାର ପଞ୍ଜୀକରଣ ଶୁଳ୍କ ଧାର୍ଯ୍ୟ କରାଯାଇଛି ।

ସିଙ୍ଗଲ୍ ଇଭେଂଟର ସମସ୍ତ ପ୍ରତିଯୋଗିତାରେ ପ୍ରତିଯୋଗୀ ପିଛା ୫୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ ଡବଲ ଇଭେଂଟର ସମସ୍ତ ପ୍ରତିଯୋଗିତାରେ ପ୍ରତିଯୋଗୀ ପିଛା ୧୦୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି । ପର୍ଯ୍ୟାୟ କ୍ରମେ ୧୩, ୧୫, ୧୭, ୧୯ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ସମସ୍ତ ପ୍ରତିଯୋଗିତା ଚଳିତ ମାସ ୨୮ ତାରିଖ ଦିନ ହେବାକୁ ଥିବା ବେଳେ ବରିଷ୍ଠ ଓ ପ୍ରବୀଣ ବର୍ଗର ସମସ୍ତ ପ୍ରତିଯୋଗିତା ଚଳିତ ମାସ ୩୦ ତାରିଖ ଦିନ ଅନୁଷ୍ଠିତ ହେବ । କେବଳ ଓଡିଶା ରାଜ୍ୟ ଵ୍ୟାଡମିଣ୍ଟନ ଆସୋସିଏସନ୍ ଅଧୀନରେ ପଞ୍ଜୀକୃତ ହୋଇଥିବା ଖେଳାଳୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।

 ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )