କେନ୍ଦ୍ରାପଡ଼ା : ରାଜ୍ୟରେ ଦିନକୁ ଦିନ ଡକାୟତି ମାମଲାରେ ବଢ଼ିବାରେ ଲାଗିଛି । ସଶସ୍ତ୍ର ଡକାୟତମାନେ ରାତି ଅଧରେ ଘର ଭିତରେ ପଶି ପରିବାର ଲୋଙ୍କୁ ଆକ୍ରମଣ କରି ଲୁଟ କରୁଛନ୍ତି । ବୁଧବାର ରାତିରେ କଟକରେ ଜଣକ ଘରେ ଏଭଳି ଘଟିଥିବାବେଳେ ଗୁରୁବାର ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସମାନ ଘଟଣା ଘଟିଛି । ଜିଲ୍ଲାର ଆଳି ଥାନା ଅଂଚଳରେ ଦୁଇ ଦୁଇ ଜଣଙ୍କ ଘରେ ଚୋରି ହୋଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭରତପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ଗତକାଲି ବିଳମ୍ବିତ ରାତିରେ ଗାଁର ହାଡ଼ିବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ । ଏହା ପରେ ଘରର ଗ୍ରିଲ୍ ତାଡ଼ି ଡକାୟତି ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଘର ଉଠିପଡ଼ି ବିରୋଧ କରିବାବେଳେ ସେମାନଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ କରିଥିଲେ ଦୁର୍ବୃତ୍ତମାନେ । ଫଳରେ ହାଡ଼ିବନ୍ଧୁ, ତାଙ୍କ ସ୍ତ୍ରୀ, ପୁଅ ଓ ବୋହୁ ଗୁରୁତର ହୋଇଛନ୍ତି । ସେହିପରି ଏହାପରେ ଅଲେଖ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ମଧ୍ୟ ସମାନ ଢଙ୍ଗରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ହାଡ଼ିବନ୍ଧୁଙ୍କ ପରିବାର ଲୋକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସ୍ସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଗ୍ରାମବାସୀମାନେ ରାସ୍ତା ରୋକ କରିଛନ୍ତି । ଉତ୍ତ୍ୟକ୍ତ ଗ୍ରାମବାସୀ ଭରତ ଛକ ଉପରେ କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆଳି ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଛି । ଏହା ସହିତ ତଦନ୍ତ ଆରମ୍ଭ କରିଛି ।