Odia News Portal

ମା’ ଏବଂ ମାମୁଁ କରାଉଥିଲେ ଦେହବେପାର

ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବତୀ ନିଜର ଜନ୍ମିତ ମା’ ଏବଂ ମାମୁଁ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଯୁବତୀ ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି, ତାଙ୍କର ମା ଏବଂ ମାମୁଁ ଦୁହେଁ ତାଙ୍କ ଦ୍ବାରା ଦେହବେପାର କରୁଥିଲେ। କେବଳ ସେତିକି ନୁହେଁ ତାଙ୍କୁ ଜଣେ ଦଲାଲ ହାତରେ ବିକ୍ରି କରିଦେଇଥିଲେ। ତାଙ୍କୁ ଏହି ନର୍କ ଭଳି ରାସ୍ତାରୁ ଉଦ୍ଧାର କରିଥିବା ଜଣେ ଯୁବକ ବିରୋଧରେ ମଧ୍ୟ ମିଛ କେସ୍ ଦେଇଛନ୍ତି ବୋଲି ପୀଡିତା ଜଣକ ଅଭିଯୋଗ କରିଛନ୍ତି। ପୀଡିତା ଯୁବତୀ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି, ସେ ବୋଡିୟା ସମ୍ପ୍ରଦାୟରେ ଜନ୍ମ ହୋଇଥିବା ବେଳେ ତାଙ୍କ ସମାଜରେ ଏଭଳି ପ୍ରଥା ରହିଛି ଯେ, ଝିଅମାନଙ୍କ ଦ୍ବାରା ଦେହବେପାର କରାଯାଇଥାଏ। ଘରର ସମସ୍ତ ମହିଳା ମଧ୍ୟ ଏଭଳି କାମ କରିଥାନ୍ତି। ଯୁବତୀଙ୍କ ମାମୁଁ କୋଲକାତାରେ ରହୁଥିବାରୁ ତାଙ୍କୁ ଫୋନ୍ କରି ଚଳିତ ବର୍ଷ ଜାନୁଆରୀରେ ନିଜ ପାଖକୁ ଡକାଇଥିଲେ। ଏହାପରେ ତାଙ୍କୁ ସେଠାରେ ଜଣେ ଦଲାଲ ହାତରେ ବିକ୍ରି କରିଦେଇଥିଲେ। ଯେଉଁ କୋଠାରେ ତାଙ୍କୁ ରଖାଯାଇଥିଲା, ସେଠାରେ ତାଙ୍କୁ ଲଗାତାର ଭାବରେ ଯୌନ ଶୋଷଣ କରାଯାଉଥିଲା। କେବଳ ସେତିକି ନୁହେଁ ତାଙ୍କୁ ଖାଇବାକୁ ମଧ୍ୟ ଦିଆଯାଉନଥିଲା ଏହା ସହିତ ମାରପିଟ୍ କରାଯାଉଥିଲ। ପୀଡିତାଙ୍କ କହିବା ଅନୁସାରେ, କୋଠାରେ ତାଙ୍କର ଆଉ କିଛି ଯୁବତୀଙ୍କ ସହିତ ପରିଚୟ ହୋଇଥିଲେ। ତାଙ୍କ ଆଗରେ ସେ ନିଜର ଦୁଃଖ ଜଣାଇଥିଲେ। ସେହି ଝିଅମାନେ କହିଥିଲେ, ଏଠାରେ ତାଙ୍କୁ ତାଙ୍କର ମାମୁଁ ହିଁ ବିକ୍ରି କରିଦେଇଛି। ଶେଷରେ ଯୁବତୀ ଜଣକ ନିଜର ଜଣେ ସାଙ୍ଗକୁ ସାହାର୍ଯ୍ୟ ମାଗିଥିଲେ। ତାଙ୍କୁ ସେଠାରୁ ଖସାଇ ଆଣିବାରେ ଜଣେ ଯୁବକ ସାହାର୍ଯ୍ୟ କରିଥିଲେ। ସେ ଯେତେବେଳେ ତାଙ୍କୁ ଆଗ୍ରା ଆଣିଥିଲେ ତାଙ୍କର ମା’ ଏବଂ ମାମୁଁ ଉକ୍ତ ଯୁବକଙ୍କ ବିରୋଧରେ ମିଛରେ କେସ୍ ଦେଇଥିଲେ। ଯୁବତୀଙ୍କ ପାଖରେ ଏଭଳି କିଛି ଫଟୋ ଏବଂ ଭିଡିଓ ରହିଛି ଯେଉଁଥିରେ ତାଙ୍କ ମା’ ଏବଂ ମାମୁଁ ଗ୍ରାହକଙ୍କ ସହିତ ମଦପିଇବା ସହିତ ମଜାମସ୍ତି କରୁଛନ୍ତି। କେବଳ ସେତିକି ନୁହେଁ, ଯୁବତୀ ଜଣକ ଏଭଳି କିଛି ଫଟୋ ଦେଖାଇଥିଲେ, ଯେଉଁଥିରେ ନୋଟର ଗଦା ଉପରେ ଝିଅଙ୍କର ନାଁ ଲେଖା ହୋଇଛି।  ପୀଡିତା ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କିଛି ସାହାର୍ଯ୍ୟ କରିନଥିଲା। କିନ୍ତୁ ଏହି ଘଟଣା ସମ୍ପର୍କରେ ଯେତେବେଳେ ଗଣମାଧ୍ୟମ ପ୍ରକାଶ କରିଥିଲା ଏବେ ପୋଲିସ କହୁଛି ଏସମ୍ପର୍କରେ ତଦନ୍ତ ଚାଲିଛି ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।