Odia News Portal

ଦର୍ଶନ ପାଇଁ ନେତା ମନ୍ତ୍ରୀ ଓ ସେଲିବ୍ରିଟିଙ୍କର ସୂଅ ..

ମୁମ୍ବାଇ : ଭାଦ୍ରବ ଶୁକ୍ଳପକ୍ଷରେ ଗଣେଶ ଚତୁର୍ଥୀ ପଡ଼ୁଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ଏନେଇ ପଲ୍ଲୀଠାରୁ ଆରମ୍ଭ କରି ସହର ସବୁ ଚଳଚଞ୍ଚଳ ହୋଇପଡ଼ିଛି। ତେବେ ଗଣେଶ ଚତୁର୍ଥୀ ଆସିଲେ ପ୍ରଥମେ ମୁମ୍ବାଇର ଲାଲବାଗ ରାଜାଙ୍କ କଥା ମନରେ ଆସେ। ୧୯୩୪ରୁ ମୁମ୍ବାଇର ପରେଲ ଅଞ୍ଚଳରେ ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରାଯାଇଆସୁଛି।

ଲାଲବାଗର ରାଜାଙ୍କୁ ଏଠାରେ ବିରାଜମାନ କରାଇ ଦୀର୍ଘ ୧୦ ଦିନ ଧରି ଧୁମ୍‌ଧାମ୍‌ରେ ଗଣପତିଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଆଉ ୧୧ ଦିନରେ ଏକ ବଡ଼ ଶୋଭାଯାତ୍ରାରେ ମୁମ୍ବାଇ ଗିରଗାଁଓ ଚୌପାଟିରେ ଗଣପତି ବାପ୍ପାଙ୍କ ବିସର୍ଜନ କରାଯାଇଥାଏ। ହେଲେ ଚଳିତ ବର୍ଷ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥାର ଆୟୋଜନ କରାଯାଇଛି। ଲାଲବାଗ ରାଜାଙ୍କ ପ୍ରତିମା ସବୁଠାରୁ ବିଶାଳକାୟ ହୋଇଥିବା ବେଳେ ଏହି ମଣ୍ଡପରେ ଚଳିତ ଥର ଥିମ୍‌ ରହିଛି ଚନ୍ଦ୍ରୟାନ-୨। ମଣ୍ଡପକୁ ବହୁ ଆଡ଼ମ୍ବରରେ ସାଜସଜ୍ଜା କରାଯାଇଥିବା ବେଳେ ଗଣେଶଙ୍କ ଚାରିପାଖରେ ମହାକାଶର ଦୃଶ୍ୟ ଦେଖିବାକୁ ମିଳିବ।

ତେବେ ପ୍ରତିବର୍ଷ ଏହି ଅବସରରେ ଏଠାରେ ଭିଡ଼ ଜମୁଥିବା ବେଳେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ସେଲିବ୍ରିଟିଙ୍କର ଏଠାକୁ ସୂଅ ଛୁଟିଥାଏ। ଗଣେଶଙ୍କ ପୂଜାର୍ଚ୍ଚନା କିମ୍ବା ତାଙ୍କର ଦର୍ଶନ ପାଇଁ ଭକ୍ତଙ୍କୁ ଲମ୍ବା ଲାଇନ ଲଗାଇବାକୁ ପଡ଼ିଥାଏ। ଅନ୍ୟପଟେ ଲାଲବାଗ ରାଜାଙ୍କ ଏକ ବିଶେଷତଃ ରହିଛି। ଏଠାରେ ଗଣେଶଙ୍କ ଦର୍ଶନ କରିବା ମାତ୍ରେ ହିଁ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।