Odia News Portal

ବନ୍ଧୁର ରାସ୍ତାରେ ଚାଲିଲେ ମହାକାଶଚାରୀ

ବେଙ୍ଗାଲୁରୁ : ସାମାଜିକ ସମସ୍ୟାର ବିରୋଧ ପ୍ରଦର୍ଶନ କରିବା ପାଇଁ ଲୋକମାନେ ନିଆରା ଢଙ୍ଗ ଆପଣାଇଥାନ୍ତି। ତେବେ କିଛି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ। ସହରର ଅନେକ ରାସ୍ତା ଖାଲଢିପ ରହିଥିବାରୁ ଏହାର ସଚେତନତା ପାଇଁ ପ୍ରଶାସନକୁ ପ୍ରଦର୍ଶନ କରିବାକୁ ଯାଇ ଜଣେ ବ୍ୟକ୍ତି ମହାକାଶଚାରୀର ରୂପ ନେଇଛନ୍ତି। ସୂଚନାଯୋଗ୍ୟ, ବେଙ୍ଗାଲୁରୁସ୍ଥିତ ତୁଙ୍ଗାନଗରରେ ରାସ୍ତା ଖରାପ ଥିବାରୁ ଲୋକଙ୍କୁ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ପ୍ରଶାସନଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ରବିବାର ରାତିରେ ଜଣେ ବ୍ୟକ୍ତି ମହାକାଶଚାରୀ ପୋଷାକ ପରିଧାନ କରି କ୍ରେଟର୍ସ ଉପରେ ‘ମୁନ ଓ୍ବାକ’ କରିଛନ୍ତି। ଯାହାକୁ ଦେଖିଲେ ଲାଗୁଛି ସତରେ ଯେଭଳି ଚନ୍ଦ୍ରପୃଷ୍ଠରେ ଜଣେ ମହାକାଶଚାରୀ ଚାଲୁଛନ୍ତି। କିନ୍ତୁ ଏହି ଦୃଶ୍ୟକୁ କିଛି ସମୟ ଦେଖିଲେ ଲୋକେ ଜାଣିପାରିବେ ଏହା କୌଣସି ଚନ୍ଦ୍ରପୃଷ୍ଠ ନୁହେଁ ବରଂ ଏକ ରାସ୍ତାର ଦୁରବସ୍ଥା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।