ଭୁବନେଶ୍ବର: ନବଙ୍କ ପରେ ଯୋଗେଶ । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବିଧାୟକ ଯୋଗେଶ ସିଂ । କାଲି ନିଲମ୍ବନ ପରେ ଆଜି ଦଳରୁ ସେ ଇସ୍ତଫା ଦେଇଛନ୍ତି । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଏବେ ନେତା ନୁହେଁ, ଦଳ ଗୁରୁତ୍ବପୂର୍ଣ୍ଣ। ସେହପରି କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସ ଟିକେଟ ନମିଳିବା ନେଇ ଆଭାସ ମିଳିବାକୁ ନେଇ ସେ ବି ନିରଞ୍ଜନଙ୍କୁ ଟାର୍ଗେଟ କରିଛନ୍ତି । ନବଙ୍କ ଇସ୍ତଫା ପରେ ନିଲମ୍ବନ, ଆଉ ଯୋଗେଶଙ୍କୁ ଆଗେ ନିଲମ୍ବନ ପରେ ସେ ଦେଲେ ଇସ୍ତଫା । ରାହୁଲ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ । ତାଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ୍ ଜାରି କରାନଯାଇ ପାର୍ଟିରୁ ନିଲମ୍ବନ କରାଯାଇଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା କେମିତି ଦଳ ବିରୋଧୀ କାର୍ଯ୍ୟକଳାପ, ପୂର୍ବରୁ ୟୁପିଏ ସରକାର ଅମଳରେ ବହୁ କେନ୍ଦ୍ରମନ୍ତ୍ରୀ , ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ ବୋଲି କହି ଓଲଟା ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି ଯୋଗେଶ । ସେପଟେ ନିରଞ୍ଜନ କହିଛନ୍ତି ନବ ଦାସ ଓ ଯୋଗେଶ ସିଂହ ଦଳ ଛାଡ଼ିବା ଦ୍ବାରା ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ । ବିକଳ୍ପ ଚେହେରା ସବୁଠି ଅଛନ୍ତି । ଯୋଗେଶ ସିଂହ ବିଜେଡି ସହ ସଂପର୍କରେ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା। ସେପଟେ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ନେଇ ପୁଣି ତେଜିଛି ବିବାଦ । ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇ ଦେଇଥିଲେ ସଗରିଆ । ତେବେ ଏଥର ତାଙ୍କୁ ଟିକେଟ ନମିଳିବା ନେଇ ଆଭାସ ପାଇଛନ୍ତି ସଗରିଆ। ସଗରିଆଙ୍କ ସଂପର୍କରେ ଶୃଙ୍ଖଳା କମିଟି ଆଲୋଚନା କରିଛି ଏବଂ ସେ ଆଚରଣ ପରିବର୍ତ୍ତନ କଲେ ଟିକେଟ୍ ର ସମ୍ଭାବନା ଅଛି ବୋଲି ନିରଞ୍ଜନ କହିଛନ୍ତି । ଜବାବରେ ସଗରିଆ କହିଛନ୍ତି କଂଗ୍ରେସ ନିରଞ୍ଜନ ପଟ୍ଟନାୟକଙ୍କ ସଂପତ୍ତି ନୁହେଁ। ମୋର ଟିକେଟ୍ ପାଇବା ନପାଇବା ନିଷ୍ପତ୍ତି ଏଆଇସିସି ନେବ।
Sign in
Sign in
Recover your password.
A password will be e-mailed to you.