Odia News Portal

ଶିଶୁ ଶ୍ରମିକଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତି ଭାନୁଜା

ଉତ୍ତର ପ୍ରଦେଶ ବନାରସର କିଛି ଯୁବଗୋଷ୍ଠୀ ଉଠାଇଛନ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଇଟାଭାଟିରେ କାର୍ଯ୍ୟରତ ଶ୍ରମିକଙ୍କ ଶିଶୁଙ୍କୁ ଶିକ୍ଷିତ କରିବାକୁ ଚଳାଇଛନ୍ତି ପ୍ରୟାସ। ଏଠାରେ ତିଆରି ହୋଇଛି ଏକ ପାଠଶାଳା। ଯେଉଁଠାରେ ପ୍ରତିଦିନ ଶ୍ରମିକଙ୍କ ପିଲାଙ୍କୁ ପ୍ରାୟ ୧୦୦ଜଣ ଯୁବକ ପାଠ ପଢ଼ାଇବାର ଗୁରୁଦାୟିତ୍ୱ ବହନ କରିଛନ୍ତି। ପ୍ରତିଦିନ ସନ୍ଧ୍ୟା ହେଲେ ତିନିଚାରି ଘଣ୍ଟା ଏଠାରେ ପାଠ ପଢ଼ାଯାଏ।

ଶିକ୍ଷାର ମାନ ଏବଂ ମୂଲ୍ୟକୁ ବୁଝିବା ଏମାନଙ୍କ ପକ୍ଷେ କଷ୍ଟକର। କାରଣ ଦିନକୁ ଦି’ଓଳି ଖାଇବାକୁ ମିଳୁ ନ ଥିବା ବେଳେ ପିଲାଙ୍କୁ ଶିକ୍ଷିତ କରିବା ସ୍ବପ୍ନ ଏମାନଙ୍କ ଛାତିତଳେ ଚାପି ହୋଇ ରହିଯାଉଥିଲା। କିନ୍ତୁ ପିତାମାତାଙ୍କର ଏ ସ୍ବପ୍ନକୁ ପୂରା କରିବାକୁ ପ୍ରଥମେ ‘ମାନବ ସଂସାଧନ ଏବଂ ମହିଳା ବିକାଶ ସଂଗଠନ’ର ମୁଖ୍ୟ ପ୍ରଫେସର୍‌ ରାଜାରାମ ଶାସ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଆଜି ତାଙ୍କ ପ୍ରୟାସକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରୁଛନ୍ତି ଡ. ଭାନୁଜା ଶରଣ ଲାଲ। ସେ କିଛି ଯୁବକଙ୍କ ସହାୟତାରେ ପିଲାଙ୍କୁ ପ୍ରଥମେ ସାମାନ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି। ପରେ ସରକାରୀ ସ୍କୁଲ୍‌ରେ ସ୍ବତନ୍ତ୍ର ଅନୁମତି ମାଧ୍ୟମରେ ନାମ ଲେଖାଉଛନ୍ତି।

ଏପର୍ଯ୍ୟନ୍ତ ପ୍ରାୟ ଦୁଇ ହଜାର ପିଲାଙ୍କୁ ଶିକ୍ଷିତ କରିବାରେ ସଫଳ ହୋଇଛି ସଂଗଠନ। ପିଲାଙ୍କୁ ପୁସ୍ତକ, ଖାତା ସାଙ୍ଗକୁ ସମସ୍ତ ପଢ଼ା ସାମଗ୍ରୀ ସଂଗଠନ ଦ୍ୱାରା ପ୍ରଦାନ କରାଯାଏ। ର୍ବମାନ ବନାରସର ପ୍ରାୟ ୨୪ଟି ସ୍ଥାନରେ ଏହି ପାଠଶାଳା ଚାଲୁଛି। ଦେଶର ପ୍ରତିଟି ପିଲାଙ୍କୁ ଶିକ୍ଷାର ଅଧିକାର ପ୍ରାପ୍ତ ହେବା କଥା। କିନ୍ତୁ ଆର୍ଥିକ ଅନଟନ ଏବଂ ଦାରିଦ୍ର୍ୟ ହେତୁ ସେମାନେ ଏହି ଅଧିକାରରୁ ବଞ୍ଚିତ ହେଉଛନ୍ତି।