ଭୁବନେଶ୍ୱର : ଅତ୍ୟଧିକ ଆତ୍ମପ୍ରଚାର ଏବେ କିଛି ମନ୍ତ୍ରୀଙ୍କ ପାଇଁ ବିପଦ ହେବାକୁ ଯାଉଛି । ପ୍ରତିଦିନ ଗଣମାଧ୍ୟମରେ ଯେଭଳି ନିଜ ନିଜ ପ୍ରଚାରରେ ମାତିଛନ୍ତି ତାହାକୁ ଉପର ମହଲରେ ପସନ୍ଦ କରାଯାଉନଥିବା ସୂଚନା ମିଳିଛି । ଏଭଳି ପ୍ରଚାର ଉପରେ ସତର୍କଦୃଷ୍ଟି ରଖିବାପାଇଁ କିଛି ଅଧିକାରୀଙ୍କୁ କୁହାଯାଇଥିବା ଜଣାଯାଇଛି । ମନ୍ତ୍ରୀଭାବେ ଶପଥ ନେବାପରେ କିଛି ମନ୍ତ୍ରୀଏବେ ପ୍ରତିଦିନ ରାଜ୍ୟର କୌଣସି ନା କୌଣସ ସ୍ଥାନକୁ ଗସ୍ତ କରୁଛନ୍ତି । ଗସ୍ତରୁ କିଛି ସୁଫଳ ମିଳୁ କି ନମିଳୁ ସମ୍ପୃକ୍ତ ମନ୍ତ୍ରୀଙ୍କର କିନ୍ତୁ ଜୋରଦାର ପ୍ରଚାର ହେଉଛି । ଗସ୍ତରେ ଯାଇ କେଉଁଠାରେ ରପହଞ୍ଚିବା ପୂର୍ବରୁ ଗଣମାଧ୍ୟମ ସେଠାରେ ଉପସ୍ଥିତ ହୋଇଯାଉଛନ୍ତି ।
ଯଦି କୌଣସି ଠାରେ ଗଣମାଧ୍ୟମ ପହଞ୍ଚୁନାହିଁ ସେଠାକୁ ମନ୍ତ୍ରୀ ମାନେ ନିଜ ନିଜ ସାଙ୍ଗରେ କ୍ୟାମେରାମ୍ୟାନ୍ ଓ ସୂଚନା ଅଧିକାରୀମାନଙ୍କୁ ନେଇ ଯାଉଛନ୍ତି । ମନ୍ତ୍ରୀ ସମ୍ପୃକ୍ତ ସ୍ଥାନରୁ ଫେରିବା ପରେ ପରେ ସଚିବ ଖବର ବିଭିନ୍ନ ଗଣମାଧ୍ୟମକୁ ପଠାଇ ଦିଆଯାଉଛି । ଉନ୍ନୟନ କାର୍ଯ୍ୟର ତଦାରଖ ଲାଗି ମନ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ସେମାନଙ୍କ ଅଧିନରେ ଥିବା ବିଭାଗୀୟ ଦପ୍ତର ଗୁଡିକୁ ଅଚାନକ ଗସ୍ତ କରିବାପାଇଁ ପରାମର୍ଶ ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ପରମର୍ଶ ପାଇଲା ପରଠାରୁ କିଛି ମନ୍ତ୍ରୀ ଛାଡି ଅଚାନକ ଗସ୍ତରେ ମାତିଛନ୍ତି । ଜଣେ ଜଣେ ମନ୍ତ୍ରୀ ଦିନକୁ ଏକାଧିକ ସ୍ଥାନ ଗସ୍ତ କରୁଥିବାବେଳେ ସଞ୍ଜ ବେଳକୁ ତାଙ୍କ ଦପ୍ତରରୁ ଏକାଧିକ ଖବର ଗଣମାଧ୍ୟମକୁ ଆସିବାରେ ଲାଗିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ସରକାରଙ୍କ ଉନ୍ନୟନ କାର୍ଯ୍ୟର ଅଗ୍ରଗତି କେତେ ମାତ୍ରାରେ ହୋଇଛି ତାହାର ଖବର ଯେତିକି ନବାହାରୁଛି ତାହାଠାରୁ ମନ୍ତ୍ରୀଙ୍କ ଗସ୍ତ, ଅଫିସରଙ୍କ ଉପସ୍ଥିତିର ସଚିତ୍ର ଖବର ବାହାରୁଛି ।
ଗତ କଛି ଦିନ ହେଲା ମନ୍ତ୍ରୀମାନଙ୍କର ଏଭଳି ପଚ୍ର ।ର ସର୍ବସ୍ୱ କାର୍ଯ୍ୟକ୍ରମକୁ ଉପର ମହଲରେ ପସନ୍ଦ କରାଯାଉନଥିବାର ସୂଚନା ମିଳିଛି । ବିଶେଷକରି କେତେକ ମନ୍ତ୍ରୀ ସଚିବାଳୟରେ କାର୍ଯ୍ୟ କରିବା ବଦଳରେ ଯେଭଳି ଗସ୍ତ କାର୍ଯ୍ୟକ୍ରମ କରୁଛନ୍ତି ତାହାକୁ ନାପସନ୍ଦ କରାଯାଇଛି । ପ୍ରତି ମାସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରୁଥିବା ରିପୋର୍ଟ କାର୍ଡରେ ତ କିଛି ମନ୍ତ୍ରୀ ନିଜର ଗସ୍ତର ସଚିତ୍ର ଖବର ବି ଦେଉଥିବାର ସୂଚନା ମିଳିଛି । ତେବେ ଯଦିଓ କିଛି ମନ୍ତ୍ରୀଙ୍କର ଅଚାନକ ଗସ୍ତରୁ ସୁଫଳ ମିଳୁଛି ହେଲେ ଅଧିକାଂଶ ମନ୍ତ୍ରୀଙ୍କଗସ୍ତ କେବଳ ପ୍ରଚାର ସର୍ବସ୍ୱ ହୋଇଯାଇଛି । ଗୋଟିଏ ପଟେ ସରକାରୀ ବିଜ୍ଞାପନରେ ମନ୍ତ୍ରୀମାନଙ୍କର ଫଟୋ ଲଗାଇବା ନେଇ କଟକଣା ଜାରି ହୋଇଥିବାବେଳେ ଅନ୍ୟପଟେ ମନ୍ତ୍ରୀଙ୍କର ଏଭଳି ପ୍ରଚାର ଏବେ ସେମାନଙ୍କ ପାଇଁ ବୁମେରାଂ ହୋଇପାରେ ବୋଲି ସଚିବାଳୟ କରିଡରରେ ଆଲୋଚନା ଆରମ୍ଭ ହୋଇଯାଇଛି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
