Odia News Portal

ଦ୍ବିତୀୟ ଦିନ ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ବର : ଆଜିବି ଉପବାସରେ ମହାପ୍ରଭୁ ଲିଙ୍ଗରାଜ । କ୍ରମାଗତ ଦ୍ବିତୀୟ ଦିନ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲି ସକାଳ ୭ଟାରୁ ଏଯାଏଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ । ମହାପ୍ରଭୁଙ୍କ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଦାବିରେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଅଡ଼ି ବସିଛନ୍ତି ।

ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗରୁ ମନ୍ଦିରରେ ନୀତିକାନ୍ତି ହୋଇପାରିନି । ନିଜର ସ୍ବାର୍ଥ ପାଇଁ ମହାପ୍ରଭୂଙ୍କ ନୀତିକୁ ବଳି ପକାଇଦେଇଛନ୍ତି ଲିଙ୍ଗରାଜଙ୍କ ସେବାୟତ । ବଡୁ ନିଯୋଗ ଜମି ଜବରଦଖଲ କରିଥିବା ଅଭିଯୋଗରେ ସିଧାସଳଖ ପ୍ରଶାସନକୁ ଦାୟୀ କରିଛନ୍ତି ଉଭୟ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ନୂଆଗାଁ ମୌଜା ଗଙ୍ଗୁଆ ନାଳ ପାଖରେ ଥିବା ଜମିରୁ ଜବରଦଖଲ ଉଚ୍ଛେଦ ଦାବି ହୋଇଛି ।

ଲିଙ୍ଗରାଜ ଏତେ ସମୟ ଧରି ଓପାସ ରହିବାକୁ ନେଇ ଭକ୍ତ ଚିନ୍ତାରେ । ସେପଟେ ଲିଙ୍ଗରାଜ ମନ୍ଦିର ପରିଚାଳନା କମିଟିର କହିବା କଥା, ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ହେଲେ ଗତକାଲି ବସିଥିବା ବୈଠକରେ କୌଣସି ନିଷ୍କର୍ଷ ବାହାରିପାରିନାହିଁ।