ଭୁବନେଶ୍ୱର : ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରିବା ଓ ସରକାରଙ୍କ ପକ୍ଷରୁ ପ୍ରକଳ୍ପ ଗୁଡିକର ଚିତ୍ର ଜାରି ହେବାପରେ ଏବେ ଉଚ୍ଛେଦକୁ ବିରୋଧ କରୁଥିବା ରାଜନୈତିକଦଳ ଓ ବ୍ୟକ୍ତିମାନେ ହତାଶ ହୋଇପଡିଛନ୍ତି । ପ୍ରକଳ୍ପ ରୂପରେଖର ବାସ୍ତବତା ଦେଖିଲାପରେ ପୁରୀବାସୀଙ୍କ ସମେତ ସାରା ରାଜ୍ୟରୁ ଏବେ ସରକାରଙ୍କ କାର୍ଯ୍ୟକୁ ସମର୍ଥନ ମିଳିବାରେ ଲାଗିଛି । ଶ୍ରୀମନ୍ଦିରର ସୁରକ୍ଷା ସହିତ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ସରକାର ଜଷ୍ଟିସ୍ ବି ପି ଦାଶ କମିଶନଙ୍କ ରିପୋର୍ଟ ଆଧାରରେ ଏବେ ମନ୍ଦିର ଚାରିପାଖରୁ ଜବରଦଖଲ ଉଚ୍ଛେଦ କରୁଛନ୍ତି ।
ଏହି ଦଖଲ ପ୍ରକ୍ରିୟାରେ ମଠ ଗୁଡିକୁ ପ୍ରଥମେ ଉଚ୍ଛେଦ କରାଯାଉଛି । ପ୍ରଥମେ ଲଙ୍ଗୁଳି ମଠ, ଏମାର ମଠ ଉଚ୍ଛେଦ ପରେ ଏବେ ବଡଆଖଡା ମଠର ପାଳି । ତେବେ କିଛି ସାଧୁ ସନ୍ଥଙ୍କ ସହ ଆଲୋଚନା ଲାଗି ବଡଆଖଡା ମଠ ଉଚ୍ଛେଦ କାର୍ଯ୍ୟ ସାମୟିକ ବନ୍ଦ ରହିଥିବାବେଳେ ଏବେ କିଛି ରାଜନେତା ଏଥିରେ କେଁ ପୂରାଇଥିଲେ । ରାଜ୍ୟ ବାହାରୁ ସାଧୁ ସନ୍ଥମାନଙ୍କୁ ଆଣି ପୁରୀରେ ଠୁଳ କରିବାରେ ବି ଲାଗିଥିଲେ । ରାଜନୈତିକ ଫାଇଦା ଉଠାଇବାପାଇଁ ପୁରୀରେ ଧିରେ ଧିରେ କିଛି ରାଜନେତା ପହଞ୍ଚିବା ସହିତ ସେମାନଙ୍କ ଚେଲା ଚାମୁଣ୍ଡାମାନଙ୍କୁ କାମରେ ଲଗାଇଥିଲେ ।
ଗଣମାଧ୍ୟମରେ ବୟାନବାଜି ସହିତ ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନଙ୍କୁ ଏକାଠି କରିବାରେ ଲାଗିଛନ୍ତି । ତବେ ରାଜ୍ୟ ସରକାର ଥଇଥାନ ପାଇଁ ଘୋଷଣା କରିଥିବା ପ୍ୟାକେଜରେ ସନ୍ତୁଷ୍ଟ ଥିବା ଦୋକାନୀମାନେ କିନ୍ତୁ ଏମାନଙ୍କ ସହିତ ଆସିବାକୁ ରାଜି ହେଉନାହାନ୍ତି । ଅନ୍ୟ ପକ୍ଷରେ ପୁରୀବାସୀ କିନ୍ତୁ ମଠ ଉଚ୍ଛେଦକୁ ଆଦୌ ବିରୋଧ କରୁନାହାନ୍ତି । ଅନେକ ସରକାରଙ୍କ ନିଷ୍ପତ୍ତିରେ ଖୁସି । ଏପରିକି ଉଚ୍ଛେଦ ବନ୍ଦ ରଖି ସରକାର କାହିଁକି ରାଜନୀତି କରିବାକୁ ସୁଯୋଗ ଦେଉଛନ୍ତି ବୋଲି ଓଲଟା ପ୍ରଶ୍ନ କରୁଛନ୍ତି । ତେବେ ସବୁ ପ୍ରକାର ରାଜନୀତି ଓ ଅସନ୍ତୁଷ୍ଟ ଉପରେ ପାଣି ପକାଇ ଦେଇଛି ଗତକାଲି ରାଜ୍ୟ ସରକାର ସଚିତ୍ର ଘୋଷଣା କରିଥିବା ବିଭିନ୍ନ ପ୍ରକଳ୍ପର ରୂପରେଖ ।
ରଘୁନନ୍ଦନ ଲାଇବ୍ରେରୀ, ଥଇଥାନ ଆବାସ, ଶ୍ରୀ ସେତୁ ଆଦିର ଚିତ୍ର ପ୍ରକାଶ ପାଇଛି । ଏଗୁଡିକ କାର୍ଯ୍ୟକାରୀ ହେଲେ ପୁରୀ ବିଶ୍ୱ ଐତିହ୍ୟ କ୍ଷେତ୍ର ମଧ୍ୟରେ ସବୁଠାରୁ ଆଗରେ ରହିବ ବୋଲି ଲୋକେ ଆଲୋଚନା କରୁଛନ୍ତି । ଫଳରେ ସରକାରଙ୍କ ଉଚ୍ଛେଦକୁ ବିରୋଧ ପାଇଁ ସଜବାଜ ହେଉଥିବା ନେତା ଓ ଗୋଷ୍ଠି ଏବେ ହତାଶ ହୋଇପଡିଛନ୍ତି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
