Odia News Portal

ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

କଳାହାଣ୍ଡି :  ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ ଫଳରେ ପ୍ରାୟ ଦେଢ କି.ମି. ଖଟିଆରେ ବୁହାହୋଇ ଆସିଲେ ରୋଗୀ । କଳାହାଣ୍ଡି ଜିଲ୍ଲାର ଚିର ଅବହେଳିତ ଲାଞ୍ଜିଗଡ ବ୍ଲକ୍ ଗୋବର୍ଦ୍ଧନପୁର ପଞ୍ଚାୟତ ଅଧିନସ୍ଥ ପଲସାପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପଲସାପଡା ଗାଁର ଗୋପାଳ ପୋଢଙ୍କ ପାଟିରୁ ରକ୍ତ ପଡିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା ।

ଗାଁର ଆଖପାଖରେ କୌଣସି ସ୍ବାସ୍ଥ୍ୟ ସୁବିଧା ନଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା ପାଇଁ ପରିବାର ଲୋକ ଚାହିଁଥିଲେ । ଫଳରେ ଆମ୍ବୁଲାନ୍ସକୁ ଡକାଯାଇଥିଲା । କିନ୍ତୁ ରାସ୍ତାର କଦର୍ଯ୍ୟ ଅବସ୍ଥା ଯୋଗୁଁ ରାମଚନ୍ଦ୍ରପୁରଠାରୁ ଆଉ ଆଗକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ । ଅନ୍ୟୋପାୟ ହୋଇ ଗୋପାଳଙ୍କୁ ଖଟିଆରେ ବୋହି କାଦୁଅ ପଚପଚ ରାସ୍ତାରେ ଦେଢ କି.ମି. ବୋହି ଆଣିଲେ ସଂପର୍କୀୟ । ରାମଚନ୍ଦ୍ରପୁରଠାରୁ ଆମ୍ବୁଲାନ୍ସରେ ତାଙ୍କୁ ଭବାନୀପାଟଣା ଡାକ୍ତରଖାନା ନିଆଗଲା ।