Odia News Portal

୧୯ବର୍ଷରୁ କମ୍‌ ଏସିଆ କପ୍‌ : ପାକିସ୍ତାନକୁ ହରାଇ ସେମିରେ ଭାରତ

ମୋରାତୁୱା : ଚଳିତ ୧୯ବର୍ଷରୁ କମ୍‌ ଏସିଆ କପ୍‌ ଦିନିକିଆ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଦଳ ଗ୍ରୁପ୍‌ ଏ’ ମ୍ୟାଚ୍‌ରେ ୬୦ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଛି । ଅର୍ଜୁନ ଆଜାଦ ଓ ତିଲକ ବର୍ମା ଶତକୀୟ ଇନିଂସ୍‌ ଖେଳି ଦଳ ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯/୩୦୫ରନ୍‌ କରିଥିଲା ।

ଦଳ ପକ୍ଷରୁ ଓପନର ଅର୍ଜୁନ ୧୨୧ (୧୧୧ବଲ୍‌, ୧୧ଚୌକା, ୪ଛକା) ଓ ତିଲକ ୧୧୦ (୧୧୯ବଲ୍‌, ୧୦ଚୌକା, ୧ଛକା) ରନ୍‌ କରିଥିଲେ । ପାକିସ୍ତାନର ନସୀମ ଶାହ ଓ ଆବାସ ଆଫ୍ରିଦି ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଜବାବରେ ପାକିସ୍ତାନ ୪୬.୪ ଓଭରରେ ୨୪୫ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଅଧିନାୟକ ରୋହେଲ ନାଜିର ୧୧୭ (୧୦୮ବଲ୍‌, ୧୨ଚୌକା, ୩ଛକା) ଓ ହାରିସ୍‌ ଖାନ୍‌ ୪୩ରନ୍‌ କରିଥିଲେ । ଭାରତର ଅଥର୍ବ ଆଙ୍କୋଲେକର ୩ଟି ୱିକେଟ୍‌ ନେଇଥିଲେ ।