ଭୁବନେଶ୍ବର : ଦେଶବ୍ୟାପୀ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଉଲଂଘନ କଲେ ଦେବାକୁ ପଡୁଛି ମୋଟା ଅଙ୍କର ଜରିମନା । ତେବେ ରାଜ୍ୟରେ ମଧ୍ୟ ଏହି ନୂଆ ନିୟମ କଡାକଡି କରାଯାଇଛି । ତେବେ ଏହି ନିୟମକୁ ବିଭିନ୍ନ ସ୍ଥାନରେ ବିରୋଧ ମଧ୍ୟ କରାଯାଉଛି । ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ପୋଲିସ ଏବଂ ଜନତା ମୁହାଁମୁହିଁ ମଧ୍ୟ ହେଉଛନ୍ତି । ତେବେ ଆଜି ଭୁବନେଶ୍ବର ଏଜି ଛକରେ ଟ୍ରାଫିକ୍ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।
ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କ ନେତୃତ୍ବରେ ଲୋକଙ୍କୁ ଟ୍ରାଫିକ୍ ନିୟମ ନେଇ ସଚେତନ କରୁଛନ୍ତି ପୋଲିସ ଅଫିସର । ଗତକାଲି ଟ୍ରାଫିକ୍ ନିୟମକୁ ନେଇ ରାଜମହଲ ଛକରେ ଲଙ୍କାକାଣ୍ଡ ଘଟିଥିବା ବେଳେ ଆଜି ଲୋକଙ୍କୁ ଚକୋଲେଟ୍ ଦେଇ ସଚେତନ କରୁଛି ପୋଲିସ । ରାଜଧାନୀରେ ଯେପରି ଆଗକୁ କୌଣସି ସମସ୍ୟା ନଉପୁଜେ ସେଥିପାଇଁ ଏପରି ପଦକ୍ଷେପ ନେଇଛି ପୋଲିସ।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ ତାରିଖଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ସଡ଼କ ପରିବହନ ଆଇନ । ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା ଅଧିକ ଫାଇନ୍ ଦେବାକୁ ପଡ଼ୁଛି । ଏହି ଆଇନ ସାରା ଦେଶରେ କଡାକଡି କରାଯାଇଥିବା ବେଳେ ଓଡିଶାରେ ମଧ୍ୟ ଏହି ଆଇନକୁ କଡାକଡି ପାଳନ କରାଯାଉଛି ।
