ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପିଠିରେ ଏବେ ଲାଉ ହୋଇ ଫାଇଦା ଉଠାଇବାକୁ ଅନେକ ଜାତୀୟ ଓ ଆର୍ନ୍ତଜାତୀୟ ସଂସ୍ଥା ଲାଗି ପଡିଛନ୍ତି । ସରକାର ଦିନ ରାତି ଏକ କରି ଯେଉଁ ସଫଳତା ହାସଲ କରୁଛନ୍ତି ସେଥିରେ ସେମାନଙ୍କ ଭାଗିଦାରୀ ରହିଥିବା ପ୍ରଚାର କରିବା ସହିତ ମବୀ ଓ ସରକାରୀ ଅଧିକାରୀଙ୍କ ସହ ଫଟୋ ଉଠାଇ ବାଣ୍ଟୁଛନ୍ତି ।
ନିଜ ସଂସ୍ଥାର ଏଭଳି ପ୍ରଚାର କରୁଛନ୍ତି ଯେ ତାହା ଭିତରେ ସରକାରଙ୍କ ସଫଳତା ଲୁଚି ଯାଉଛି । ପଇସାଟିଏ ଅବଦାନ ନଥାଇ ସରକାର ଲଗାଉଥିବା ଗଛରୁ ଫଳ ଖାଇବାପାଇଁ ବିଭିନ୍ନ ବିଭାଗରେ ଯେଉଁ ଷଡଯବ ଚାଲିଛି ତାହା ଉପରେ ନଜର ରଖିବାକୁ ଦାବି ହେଉଛି । ଏଭଳି ଫାଇଦା ନେବାପାଇଁ ସବୁଠାରୁ ଅଧିକ ଭିଡ ରହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ।
ଏହି ବିଭାଗରେ ଲୋକେ ଲାଭ ପାଇଲା ଭଳି ସିଧାସଳଖ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ସେଥିରେ ମୁହଁ ପୂରାଇବାପାଇଁ ଚାଲିଛି ଏକ ପ୍ରକାର ପ୍ରତିଯୋଗିତା । ଟୀକାକରଣ ହେଉ କିମ୍ବା ମ୍ୟାଲେରିଆ ନିରାକରଣ ଅଥବା ଯକ୍ଷ୍ମା ନିୟବଣ ସବୁଥିରେ ରାଜ୍ୟ ସରକାର ସଫଳତା ସାଉଁଟୁଛନ୍ତି । ସଫଳତା ପଛରେ ବିଭାଗର ମବୀଙ୍କ ଠାରୁ ଆରମ୍ଭକରି ସଚିବ ଓ ଗାଁ ଗହଳରେ ଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ଅକ୍ଳାନ୍ତ ପରିଶ୍ରମ ରହିଛି । ହେଲେ କିଛି ଜାତୀୟ ଓ ଆର୍ନ୍ତଜାତୀୟ ସଂସ୍ଥା ଏହି ଯୋଜନାରେ ସେମାନଙ୍କ ଅବଦାନ ଢେର ଅଧିକ ଥିବା ଦର୍ଶାଇ ସଭା ସମିତିମାନ କରୁଛନ୍ତି ।
ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ମୁହଁରେ ତାହା କୁହାଇ ବି ଦେଉଛନ୍ତି । ସରକାର ଯେଉଁ ଯୋଜନା କାର୍ଯ୍ୟକାରୀ କରି ତଥ୍ୟ ସଂଗ୍ରହ କରୁଛନ୍ତି ଏହି ସଂସ୍ଥାମାନେ ତାହାକୁ ହାଇଜାକ୍ କରି କେବଳ ଟିକେ ଏପଟ ସେପଟ ସହିତ ରଙ୍ଗମାରି ସ୍କ୍ରିନ୍ ଉପରେ ଦେଖାଇବାରେ ଲାଗିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଏହିସବୁ ଦେଶୀ ବିଦେଶୀ ସଂସ୍ଥା ବିପୁଳ ପରିମାଣର ଅନୁଦାନ ଆଣି ବିଭିନ୍ନ ତାରକା ହୋଟେଲରେ ସଭାମାନ କରୁଥିବାବେଳେ ସେଠାକୁ ଯିବାପାଇଁ କେହି ଟିକେ ହେଲେ ସଙ୍କୋଚ କରୁନାହାନ୍ତି । କେବଳ ସ୍ୱାସ୍ଥ୍ୟ ବିଭାଗ ନୁହେଁ, ଶିକ୍ଷା, ଶ୍ରମ ଓ ନିୟୋଜନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଆଦି ବିଭାଗରେ ବି ସମାନ ଅବସ୍ଥା ।
ଏହିସବୁ ବିଭାଗରେ ଯେତେ ଯୋଜନା କାର୍ଯ୍ୟକାରୀ ହେଉଛି ସେଥିରେ ନିଜର ଭାଗିଦାରୀପାଇଁ ଜାତୀୟ ଓ ଆର୍ନ୍ତଜାତୀୟ ସଂସ୍ଥାମାନେ ଲବି କରି ସଫଳ ହେଉଛନ୍ତି । ବିଭିନ୍ନ ଯୋଜନାରେ ନିଜ ନିଜ ସଂସ୍ଥାର କିଛି ପରାମର୍ଶଦାତାଙ୍କୁ ରଖି ପୂରା ଯୋଜନାର ଶ୍ରେୟ ବି ନେଇ ଯାଉଛନ୍ତି । ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ପରିମାଣର ଅନୁଦାନ ଆଣିବା ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
