ଭୁବନେଶ୍ୱର : ରୋଡ଼ରୋମିଓଙ୍କୁ ଉତ୍ତମ ମଧ୍ୟମ ଦେଇ ଚର୍ଚ୍ଚାକୁ ଆସିଥିବା ଯୁବତୀ ବେବିନା ମହାନ୍ତିଙ୍କୁ ଆଜି କମିଶନେରେଟ୍ ପୁଲିସ ପକ୍ଷରୁ ସମ୍ମାନିତ କରାଯାଇଛି। ଦୁଇ ପୁଅଙ୍କ ବିରୋଧରେ ଲଢ଼ି ସାହସିକତା ଦେଖାଇଥିବାରୁ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସାବାସି ଜଣାଇଛନ୍ତି। ଏହି ଅବସରରରେ ବେବିନା କହିଛନ୍ତି ଯେ, ଝିଅମାନେ ନିଜର ଆତ୍ମବିଶ୍ୱାସ ବଢ଼ାନ୍ତୁ।
ଅନ ଦି ସ୍ପଟ୍ରେ ଝିଅମାନେ ମଧ୍ୟ ଲଢ଼ିପାରିବେ। ଯେତେ ରୋଡ଼ ରୋମିଓ ସାବାଡ଼ ହୋଇଯିବେ ବୋଲି ସେ କହିଛନ୍ତି। ପୁଲିସ କମିଶନର ଡ.ସୁଧାଂଶୁ କହିଛନ୍ତି ଯେ, ଆମେ ଆଗକୁ ବି ଏମିତି ସାହସିକତା ପ୍ରଦର୍ଶନ କରିପାରୁଥିବା ଝିଅଙ୍କୁ ସମ୍ମାନିତ କରିବୁ। ସୂଚନା ଅନୁଯାୟୀ ଗତକାଲି , ଜିଜିପି କଲୋନୀ ଅଞ୍ଚଳରେ ବେବିନାଙ୍କୁ ଦୁଇ ଜଣ ଯୁବକ ପିଛା କରି ଅଶ୍ଳୀଳ କମେଣ୍ଟ କରିଥିଲେ।
ଏନେଇ ଯୁବତୀ ଜଣକ ପ୍ରତିବାଦ ଜଣାଇବା ସହ ଯୁବକଙ୍କୁ କଡ଼ା ଜବାବ ଦେଇଥିଲେ। ସର୍ବ ସମ୍ମୁଖରେ ଉଠବସ୍ କରାଇବା ସହ ଯୁବକମାନଙ୍କୁ ମାଡ଼ ମାରି ଉଚିତ୍ ଶିକ୍ଷା ଦେଇଥିଲେ। ଏନେଇ ଯୁବତୀ ଜଣକ କହିଛନ୍ତି,“ ସୋମବାର ଅପରାହ୍ଣ ପ୍ରାୟ ତିନିଟା ବେଳେ ମୁଁ ବମିଖାଲ କେନାଲ ଅଞ୍ଚଳକୁ ଯାଉଥିଲି। ହେଲେ ମୁଁ ଯେତେବେଳେ ଘର ବାହାରିଲି ଦୁଇ ଜଣ ଯୁବକ ଜିଜିପି କୋଲନୀରୁ ଆସି ମୋତେ ପିଛା କରିଥିଲେ।
ସେମାନେ ମୋ ନିକଟତର ହେବାକୁ ଚେଷ୍ଟା କରୁଥିଲେ। ତେବେ ଫାଙ୍କା ରାସ୍ତା ଦେଖି ମୋତେ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ଏହାପରେ ମୁଁ ସେମାନଙ୍କୁ ଗାଡ଼ିରେ ଗୋଡ଼ାଇଲି। ତା’ସହ ମାଡ଼ ମାରିଲି ଓ ଉଠବସ୍ କରିବା ସହ ସେମାନଙ୍କୁ ଉଚିତ ଶିକ୍ଷା ଦେଇଛି।
