Odia News Portal

ସାହାସୀ ତାସିଫ, ସୋଆଇବ ଓ ଆବୁଲଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସେଦିନ ଥିଲା ଗଣେଷ ପୂଜା । ସେପ୍ଟେମ୍ବର ୨ ତାରିଖ । ଯାଜପୁର ସଡକପୁର ପ୍ରାଥମିକ ସ୍କୁଲରେ ପଡୁଥିବା ୬ ବର୍ଷର କୁନି ବାଳକ ଅବୁଲ ରୁମନ ଖାଁ ସ୍କୁଲରୁ ଫେରୁଥିବା ବେଳେ ରାସ୍ତାକଡରେ ଥିବା ଗୋଟିଏ ପୋଖରୀରେ ଖସିପଡି ବୁଡି ଯାଉଥିଲେ । ଏହି ସମୟରେ ଫଜଲପୁର ଗାଁର କୋରେଇ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପୁଥିବା ଦୁଇ ଜଣ ବାଳକ ସେକ୍ ତାସିଫ ରାଜ ଓ ମହମ୍ମଦ ସୋଆଇବ ବୁଡି ଯାଉଥିବା ବାଳଟିକୁ ଦେଖି ନିଜ ଜୀବନକୁ ଖାତିର ନକରି ପାଣିକୁ ଡେଇପଡି ତାକୁ ଉଦ୍ଧାର କରିଥିଲେ । ସେମାନଙ୍କ ସାହାସିକତା ଯୋଗୁଁ ଗୋଟିଏ ମୂଲ୍ୟବାନ ଜୀବନ ରକ୍ଷା ପାଇଗଲା ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୩ଜଣ ବାଳକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ତାସିଫ ଓ ସୋଆଇବଙ୍କ ସାହାସିକତାର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଡିକ୍ସନାରୀ, ଅନ୍ୟାନ ପାଠ୍ୟ ଉପକରଣ ଓ ଚକଲେଟ ଆଦି ଉପହାର ପ୍ରଦାନ କରିଛନ୍ତି । କୁନି ବାଳକ ଆବୁଲଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପାଠ୍ୟଉପକରଣ ଓ ଚକଲେଟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।