ଭୁବନେଶ୍ୱର : ଦୀର୍ଘ ଦିନର ନିରବତା ପରେ ରାଜଧାନୀରେ ପୁଣି ଗର୍ଜିଛି ବନ୍ଧୁକ। ସୋମବାର ବିଳମ୍ବିତ ରାତିରେ ବମିଖାଲ ଦୁର୍ଗାମଣ୍ଡପ ନିକଟରେ ଏକ କାର୍ ଉପରକୁ ଅତର୍କିତ ଗୁଳିମାଡ଼ ହୋଇଛି। ରାତି ପ୍ରାୟ ୧ଟା ବେଳେ ଏହି ବାଟ ଦେଇ ୨ଜଣ ଯୁବକ କାର୍ରେ ଯାଉଥିବା ବେଳେ ଅଚାନକ ସେମାନଙ୍କ କାର୍ ଉପରକୁ ଗୁଳିବର୍ଷା ହୋଇଥିଲା। ଏଥିରେ ଜଣେ କାର୍ ଆରୋହୀଙ୍କ ପିଠିରେ ଗୁଳି ବାଜିଛି। ତେବେ ଭୟରେ ସେମାନେ କାର୍ ଅଟକାଇ ଦେବାରୁ ଦୁର୍ବୃତ୍ତମାନେ କାର୍କୁ ଭଙ୍ଗାରୁଜା କରିବା ସହ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଆହତଦ୍ୱୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛି।
ସେମାନଙ୍କ ମଧ୍ୟରୁ ପିଠିରେ ଗୁଳି ବାଜିଥିବା ଯୁବକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାଯାଇଛି। ସେହିପରି ଅନ୍ୟ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛୁରାମାଡ଼ ଜନିତ କ୍ଷତ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତା ନା ଲୁଟପାଟ ଉଦ୍ଦେଶ୍ୟରେ ଏହି ଆପରାଧିକ ଘଟଣା ଘଟିଛି, ରିପୋର୍ଟ ଲେଖା ହେବା ବେଳକୁ ତାହା ସ୍ପଷ୍ଟ ହୋଇପାରିନଥିଲା।