Odia News Portal

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଲେ ପ୍ରଣୟ ସାହୁ

ଭୁବନେଶ୍ବର: କଂଗ୍ରେସ ଛାଡ଼ିଥିବା ବରଗଡ଼ ଜିଲ୍ଲାର ବରିଷ୍ଠ ନେତା ପ୍ରଣୟ ସାହୁ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି। ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଚନ୍ତି। ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର ଗୋଟିଏ ଦିନ ପରେ ସେ ବିଜେଡ଼ିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଅନ୍ୟ କିଛି କର୍ମୀ ମଧ୍ୟ ବିଜେଡ଼ିରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ପ୍ରଣୟ ସାହୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଗତବର୍ଷ ବିଜେପୁର ଉପନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଥିଲେ। ବିଜେପୁର ଉପନିର୍ବାଚନ ପରେ ଦଳ ତାଙ୍କୁ ଅଣଦେଖା କରିବାରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ବୋଲି ଦର୍ଶାଇଥିଲେ। ତେବେ ପ୍ରଣୟ ଶ୍ରୀକାନ୍ତ ଜେନାଙ୍କ ସମର୍ଥକ ଥିଲେ। ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସ ବହିଷ୍କାର କରିବା ପ୍ରତିବାଦରେ ସେ କ୍ଂଗ୍ରେସ ଛାଡ଼ିଥିବା ଆଲୋଚନା ହୋଇଥିଲା। ବର୍ତ୍ତମାନ ପ୍ରଣୟ ବିଜେଡ଼ିରେ ଯୋଗ ଦେବା ପରେ ବିଜେପୁର ତଥା ବରଗଡ଼ ଜିଲ୍ଲାରେ ବିଜେଡ଼ିର ସ୍ଥିତି ଆହୁରି ମଜବୁତ ହୋଇଥିବା କୁହାଯାଉଛି।