ଭୁବନେଶ୍ୱର : ୫-ଟି ମାଧ୍ୟମରେ ଲୋକଙ୍କୁ ଉତ୍ତମ ପ୍ରଶାସନ ଦେବାପାଇଁ ସରକାର ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶକ୍ତି ବିଭାଗର ଜଣେ ଅଧିକାରୀ କିନ୍ତୁ ଏହାକୁ ଫୁ କରିଦେଇଛନ୍ତି । ସରକାରୀ ଯୋଜନାପ୍ରତି ଅଣଦେଖା କରି ଏହି ଅଧିକାରୀ ଜଣଙ୍କ ଶକ୍ତି ବିଭାଗ ଅଧିନରେ ଥିବା ସଂସ୍ଥାଙ୍କ ଦ୍ୱାରା ତାରକା ହୋଟେଲରେ ସପରିବାର ଆପ୍ୟାୟିତ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶକ୍ତି ବିଭାଗର ଏହି ଅଧିକାରୀ ଜଣଙ୍କୁ ବିଭାଗ ଅଧିନରେ ଥିବା ତିନି ସଂସ୍ଥାର ବଡପଣ୍ଡାମାନେ ଆପ୍ୟାୟିତ କରିଛନ୍ତି ।
ଏଥିରେ ଏଇଏସ୍, ଓଜିପିସି ଓ ଓସିପିଏଲ୍ର କେତେକ ଅଧିକାରୀ ସାମିଲ ଥିବା ଚର୍ଚ୍ଚା ହେଉଛି । ଏହି ସୂଚନା ଅନୁଯାୟୀ ବାବୁ ଜଣଙ୍କ ବିଭାଗରେ ପ୍ରବେଶ କରୁ କରୁ ତାଙ୍କୁ କରାୟତ କରିବାପାଇଁ ସମସ୍ତେ ଯୋଜନା ପ୍ରସ୍ତୁତ ହୋଇଥିଲା । ଦାୟିତ୍ୱ ନେବାପରେ ବାବୁଙ୍କୁ ସମ୍ବର୍ଦ୍ଧିତ କରିବା ନାଁରେ ତାରକା ହୋଟେଲରେ ଆୟୋଜନ ହେଲା ଭୋଜିଭାତ ।
ଚନ୍ଦ୍ରଶେଖରପୁର ଅଞ୍ଚଳର ଗୋଟିଏ ତାରକା ହୋଟେଲରେ ହୋଇଥିବା ଏହି ଭବ୍ୟ ସମ୍ବର୍ଦ୍ଧନା ପର୍ବରେ ବାବୁଙ୍କ ସହିତ ତାଙ୍କ ପରିବାର ଉପସ୍ଥିତ ରହିଲେ । ଦେଶୀ-ବିଦେଶୀ ସଂସ୍ଥାର ଅଧିକାରୀମାନେ ବାବୁଙ୍କ ଚର୍ଚ୍ଚାରେ ପୂରା ଲାଗି ପଡିଲେ । ସଞ୍ଜ ପହରୁ ଆରମ୍ଭ ହୋଇଥିବା ଏହି ପର୍ବ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚାଲିଲା । ଖିଆ ପିଆରେ ସମସ୍ତେ ମସଗୁଲ ରହିଲେ । ଏହାରି ଭିତରେ ଜଣ ଜଣ କରି ଆସି ବାବୁଙ୍କ ସହିତ କରମର୍ଦ୍ଦନ କରିବା ସହିତ ଚିହ୍ନା ପରିଚୟ ବି ହେଲେ ।
ସେଥି ମଧ୍ୟରେ କେତେକ ପୂର୍ବତନ ବାବୁଙ୍କ ବିରୁଦ୍ଧରେ ବିଷ ଓଗାଳିଲେ ତ ଆଉ କେତେକ କର୍ମଚାରୀ ଭବିଷ୍ୟତରେ ବାବୁଙ୍କୁ ସବୁ ପ୍ରକାର ସହଯୋଗ କରିବେ ବୋଲି ଆଶ୍ୱାସନା ଦେବାରୁ ସମ୍ବର୍ଦ୍ଧିତ ହେଉଥିବା ବରିଷ୍ଠ ଅଧିକାରୀ ଜଣଙ୍କୁ କେବଳ ମୁରୁକି ମୁରୁକି ହସୁଥିଲେ । ପ୍ରଥମେ ବିନା ଚାକିରିରେ ଜଣେ ବାବୁ ୭ଦିନ କାଳ ଓପିଜିସି ଭଳି ସଂସ୍ଥାର ଏମ୍ଡି ପଦବୀରେ ରହିବା ଖବର ପଦାକୁ ଆସିବାପରେ ଏବେ ଏହି ସମ୍ବର୍ଦ୍ଧନା ପର୍ବ ଖବର ହୋଟେଲର କାନ୍ଥବାଡ ଡେଇଁ ଲୋକସେବା ଭବନରେ ପହଞ୍ଚିଛି ।
ଶକ୍ତି ବିଭାଗର କିଛି କର୍ମଚାରୀ ଏବେ ଏହାକୁ ନେଇ ଜୋରଦାର ଆଲୋଚନା ଚଳାଇଥିବାବେଳେ ୫-ଟି କୁ ବଡବାବୁମାନେ କାହିଁକି ମାନୁ ନାହାନ୍ତି ଓ ଏହା କଣ କେବଳ ତଳିଆଙ୍କ ପାଇଁ ବୋଲି ପ୍ରଶ୍ନ କରୁଛନ୍ତି । ତେବେ ଏହି ସୂଚନା ଅନୁଯାୟୀ ସମ୍ବର୍ଦ୍ଧନା ପର୍ବରେ ଜୋରଦାର ଖିଆପିଆ ପରେ ବିଳମ୍ବିତ ରାତ୍ରୀରେ ବାବୁଙ୍କୁ ଘରେ ଛାଡିବାପାଇଁ ମଧ୍ୟ ସୁବନ୍ଦୋବସ୍ତ ହୋଇଥିଲା । ବାବୁଙ୍କ ସହିତ ଯାଇଥିବା ପରିବାର ସଦସ୍ୟଙ୍କ ପାଇଁ ଦାମୀ ଉପହାରର ବ୍ୟବସ୍ଥା ହୋଇଥିଲା । ଅବଶ୍ୟ ବାବୁ ଜଣଙ୍କ ନିଜ ହାତରେ କିଛି ନେଇନଥିଲେ ।
ସବୁକିଛି ଗୋଟିଏ ଟ୍ରଲି ବ୍ୟାଗରେ ପଶି ବାବୁଙ୍କ ଗାଡି ପଛରେ ରହିବାପରେ ଗାଡି ଛାଡିଥିଲା । ଅବଶ୍ୟ ଏଭଳି ଖାନା ପିନାରେ କେଉଁ ସଂସ୍ଥା କେତେ ଅର୍ଥ ବ୍ୟୟ କରିଛନ୍ତି ତାହାର ହିସାବ ଏପର୍ଯ୍ୟନ୍ତ ପଦାକୁ ଆସିନାହିଁ । କିନ୍ତୁ ଆଗାମୀ ଦିନରେ ସଂସ୍ଥାକୁ ଲାଭଜନକ କରିବା ଦାୟିତ୍ୱରେ ଥିବା ବାବୁ ଯଦି ଏଭଳି ଭାବେ ତାରକା ହୋଟେଲରେ ତାହା ପୁଣି ଖୋଦ ରାଜଧାନୀରେ ଆପ୍ୟାୟିତ ହେବେ ତେବେ ସଂସ୍ଥା ଅନିୟମିତତାକୁ କିଏ ଧରିବ ବୋଲି ଅନେକ ପ୍ରଶ୍ନ କରୁଛନ୍ତି ।
