ଭୁବନେଶ୍ୱର : ଦିନକ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରୁ ଜବରଦଖଲ ହଟାଇବା ପାଇଁ ମାପଚୁପ ଆରମ୍ଭ ହେବ । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଯେତିକି ଆତଙ୍କିତ ତାହାଠାରୁ ଅଧିକ ଆତଙ୍କିତ ହେଲେଣି ସ୍ଥାନୀୟ ନେତା । କାରଣ ଲୋକେ ଏବେ ସେମାନଙ୍କ ଉପରେ ରାଗ ଶୁଝାଇବା ଟା ଏକ ପ୍ରକାର ନି୧⁄୨ିତ ଥିବାରୁ ଦୋଛକିରେ ପଡିଛନ୍ତି । ଏକାମ୍ର ନିର୍ବାଚନମଣ୍ଡଳୀ ବିଧାନସଭା ଅର୍ନ୍ତଗତ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ଚାରିପଟୁ ଜବରଦଖଲ ହଟାଇବାପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି ।
ମଙ୍ଗଳବାରଦିନ ବିଡିଏ, ବିଏମ୍ସି ଓ ସାଧାରଣ ପ୍ରଶାସନ ବିଭାଗ ମିଳିତ ଭାବେ ମାପଚୁପ ପାଇଁ ଦିନ ସ୍ଥିର ହୋଇଛି । ମାପଚୁପ ପରେ ଜବରଦଖଲ ଉଚ୍ଛେଦ ହେବ । ପ୍ରଥମେ ସରକାରୀ ସଂସ୍ଥା ଗୁଡିକ ମାଡିବସିଥିବା ସ୍ଥାନକୁ ଉଚ୍ଛେଦ ଲାଗି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ତେବେ ଏହାପରେ ସେମାନଙ୍କ ପାଳି ପଡିବ ବୋଲି ବେସରକାରୀ ବ୍ୟକ୍ତି ଓ ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି । ଏହାକୁ ନେଇ ଏବେ ସ୍ଥାନୀୟ ବିଧାୟକ ଓ କିଛି କର୍ପୋରେଟର ଆଶାୟୀ ବ୍ୟକ୍ତି ଅଧିକ ଆତଙ୍କିତ ହୋଇପଡିଛନ୍ତି । କାରଣ ଯଦି ସାଧାରଣ ଲୋକେ କ୍ଷତିଗ୍ରସ୍ତ ହେବେ ତେବେ ସିଧା ସେମାନଙ୍କ ଉପରେ ବିଷ ଓଗାଳିବେ ।
ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ହେଉଛନ୍ତି ଖୋଦ୍ ଲିଙ୍ଗରାଜଙ୍କ ସେବକ । ତାଙ୍କରୀ ବିରାଦିରୀର ଅନେକ ବ୍ୟକ୍ତି ଲିଙ୍ଗରାଜଙ୍କ ଆଖପାଖରେ ବ୍ୟବସାୟ କରି ପେଟପୋଷନ୍ତି । ଅଳ୍ପଦିନ ତଳେ ଲିଙ୍ଗରାଜଙ୍କ ଜମିରେ ନିର୍ମାଣଧିନ କୋଠାକୁ ନେଇ ଯେଉଁ ବିବାଦ ଚାଲିଥିଲା ସେଥିରେ କିଛି ଲୋକ ମବୀଙ୍କୁ ଟାଣି ଓଟାରି ପୂରାଇଥିଲେ । ହେଲେ ଏବେ ସ୍ଥାନୀୟ ବିଧାୟକ ଭାବେ ଶ୍ରୀ ପଣ୍ଡା ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସେମାନେ ମତ ଦେଉଛନ୍ତି । ସେହିଭଳି ଆଗାମୀ ବିଏମ୍ସି ନିର୍ବାଚନରେ ଏଠାରୁ ଟିକଟ ଆଶାୟୀ କର୍ପୋରେଟର ପ୍ରାର୍ଥୀମାନେ ମଧ୍ୟ ଏବେ ଏଭଳି ଉଚ୍ଛେଦକୁ ନେଇ ଆତଙ୍କିତ ।
କାରଣ ସେମାନେ ଯଦି ଲୋକଙ୍କ ପାଇଁ ନବାହାରିବେ ତେବେ ଭୋଟ ମିଳିବ ନାହିଁ । ଟିକଟ ମିଳିବ କି ନାହିଁ ତାହା ନେଇ କେହି ସ୍ଥିର ହୋଇନଥିବାବେଳେ ଏବେଠାରୁ କିନ୍ତୁ କ୍ଷେତ୍ର ପ୍ରସ୍ତୁତିରେ ଲାଗିଛନ୍ତି । ଯେହେତୁ ଏବେ ବିଏମ୍ସିରେ ମେୟର କିମ୍ବା କୌଣସି ନିର୍ବାଚିତ ପ୍ରତିନିଧି ନାହାନ୍ତି ଓ ଶାସକଦଳର ବିଧାୟକ ଅଛନ୍ତି ତେଣୁ ଏବେ ଲୋକେ ସେମାନଙ୍କ ନିକଟକୁ ଯିବାପାଇଁ ସ୍ଥିର କରିଛନ୍ତି । ନିକଟ ଅତୀରେ ପୁରୀ ଉଚ୍ଛେଦ କଥା ମନରୁ ଲିଭିନଥିବାବେଳେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚାରିପାଖରେ ବ୍ୟବସାୟ କରି ପେଟ ପୋଷୁଥିବା ବ୍ୟବସାୟୀମାନେ ଏବେ ଆତଙ୍କରେ । ତେବେ ଖୁବ୍ଶୀଘ୍ର ସେମାନେ ନେତାଙ୍କ ଶରଣ ନେବେ ବୋଲି ସୂଚନା ମିଳିଲାଣି ।
ଏଭଳି ହେଲେ ଶାସକଦଳର ମନ୍ତ୍ରୀ ଓ ତାଙ୍କ ଅନୁଗତ କର୍ପୋରେଟର ଆଶାୟୀମାନେ କଣ କରିବେ ତାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି । ସେମାନେ ଭୋଟ ଦେଇଥିବା ଲୋକଙ୍କ ସାଙ୍ଗରେ ଛିଡା ହେବେ ନା ପ୍ରଶାସନକୁ ସମର୍ଥନ କରିବେ ସେଥିନେଇ ଅଙ୍କ କଷୁଥିବାବେଳେ ଲୋକେ କିନ୍ତୁ ଛାଡିବା ମୁଡ୍ରେ ନାହାନ୍ତି ।
