ଭୁବନେଶ୍ବର : ଏଫସି ପୁନେ ସିଟି ଛାଡି ବେଙ୍ଗାଲୁରୁ ଏଫସିରେ ଯୋଗଦେବା ବେଳେ ସମସ୍ତଙ୍କୁ ଚକିତ କରିଥିଲେ ଆଶିକ କୁରୁନିୟାନ । ଜାତୀୟ ଦଳର ଏହି ନୂତନ ତାରକାଙ୍କ ପାଖରେ ରହିଛି ବିପୁଳ ପ୍ରତିଭା । ଚାମ୍ପିଅନ ଦଳ ପକ୍ଷରୁ ଖେଳି ନିଜ ଖେଳକୁ ପରବର୍ତ୍ତୀ ସ୍ତରକୁ ନେବା ଏବେ ତାଙ୍କର ଲକ୍ଷ୍ୟ । ହିରୋ ଇଣ୍ଡିଆନ ସୁପର ଲିଗର ଷଷ୍ଠ ସିଜନ ଆରମ୍ଭ ପୂର୍ବରୁ ଆଇଏସଏଲ ଗଣମାଧ୍ୟମ ସହିତ ତାଙ୍କର ଏକ ସାକ୍ଷାତକାର ।
ଭାରତୀୟ ଫୁଟବଲପ୍ରେମୀଙ୍କର ଆପଣ ହେଉଛନ୍ତି ସଦ୍ୟତମ ଆଦରଣୀୟ ଖେଳାଳି I ଜାତୀୟ ଦଳ ସହିତ ଅଭିଜ୍ଞତା କେମିତି ରହିଛି ?
ଜାତୀୟ ଦଳ ସହିତ ଜୀବନ ଚମତ୍କାର ରହିଆସିଛି । ଦେଶ ପାଇଁ ଖେଳିବା ମୋ ପାଇଁ ଏବଂ ମୋ ପରିବାର ପାଇଁ ବଡ କଥା । ପ୍ରତ୍ୟେକ ମ୍ୟାଚ ପରେ କିଛି ଖେଳାଳିଙ୍କୁ ପରିବର୍ତ୍ତନ କରାଯାଉଥିବାରୁ ଜାତୀୟ ଦଳରେ ମୁଁ ମୋ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରୁଛି । ପ୍ରାରମ୍ଭିକ ଏକାଦଶରେ ଲଗାତର ସ୍ଥାନ ପାଇବାକୁ ଇଚ୍ଛା ରଖୁଛି ।
ବେଙ୍ଗାଲୁରୁ ଏଫସି ଦଳରେ ଆପଣଙ୍କ ଯୋଗଦାନ ନେଇ ବହୁତ ଚର୍ଚ୍ଚା ହେଉଛି …..
ବେଙ୍ଗାଲୁରୁ ଏଫସିରେ ଯୋଗଦେବା, ବିଶେଷକରି ଚାରି ବର୍ଷ ପାଇଁ ଚୁକ୍ତିବଦ୍ଧ ହେବା ମୋ ପାଇଁ ଏକ ନିର୍ଣ୍ଣାୟକ ମୋଡ । ମୁଁ ବିଶ୍ୱାସ କରୁଛି ଦୀର୍ଘ ବର୍ଷ ଲାଗି କ୍ଲବରେ ରହିବା ମୋ ଖେଳାଳି ଜୀବନ ପାଇଁ ଉତ୍ତମ ହେବ । ଏହା ଦ୍ୱାରା କ୍ଲବ ଏବଂ ଖେଳାଳୀମାନଙ୍କ ସହିତ ବନ୍ଧନ ନିବିଡ କରିବାର ସୁଯୋଗ ମିଳିବ । ବେଙ୍ଗାଲୁରୁ ଏଫସି ଭଳି ଏକ ପେଷାଦାର କ୍ଲବରେ ଖେଳିବାର ସୁଯୋଗ ମିଳିଥିବାରୁ ମୁଁ ପ୍ରକୃତରେ ବହୁତ ଖୁସି ।
ଏବେ ଭାଙ୍ଗି ଯାଇଥିବା ଏଫସି ପୁନେ ସିଟି ଦଳରେ ଆପଣ ବେଶ କିଛି ସମୟ କଟାଇଥିଲେ । ଦଳ ଛାଡିବା ପାଇଁ କାହିଁକି ନିଷ୍ପତ୍ତି ନେଲେ ?
ଏଫସି ପୁନେ ସିଟି ଥିଲା ମୋ ଫୁଟବଲ ଖେଳାଳି ଜୀବନର ଏକ ଗୁରୁତ୍ୱପୂର୍ଣ ଅଂଶ । ମୁଁ ପାଞ୍ଚ ବର୍ଷ ପୂର୍ବେ ପୁନେ ଆସିଥିଲି । ଛୋଟ ପିଲା ହିସାବରେ ପୁନେ ଏକାଡେମୀରେ ଦୁଇ ବର୍ଷ କଟାଇବା ପରେ ମୁଁ ଏଫସି ପୁନେ ସିଟି ଦଳରେ ଯୋଗ ଦେଇଥିଲି । ଏଫସି ପୁନେ ସିଟିରେ ଥାଇ ମୁଁ ଆଇଏସଏଲ ଏବଂ ଜାତୀୟ ଦଳ ପାଇଁ ଖେଳିଥିବାରୁ ତାହା ମୋ ଜୀବନର ଏକ ଗୁରୁତ୍ୱପୂର୍ଣ ଅଂଶ ହୋଇ ରହିଆସିଛି । ମୋ ଖେଳାଳି ଜୀବନ ଚମତ୍କାର ଭାବେ ଆରମ୍ଭ କରିବାକୁ ସୁଯୋଗ ଦେଇଥିବାରୁ ମୁଁ ଏଫସି ପୁନେ ସିଟି, ଏହାର ସମର୍ଥକ,ପରିଚାଳକ ଏବଂ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।
କେରଳ ବ୍ଳାଷ୍ଟର୍ସ ଏଫସି ସହିତ ବେଙ୍ଗାଲୁରୁ ଏଫସିର ଶତୃତା ଆପଣଙ୍କ ପାଇଁ କିଛି ଗୁରୁତ୍ୱ ବହନ କରେକି ? କୋଚିରେ କେରଳ ବ୍ଳାଷ୍ଟର୍ସ ଏଫସିକୁ ଭେଟିବା କେମିତି ରହିବ ?
ମୋର ନିଜ ରାଜ୍ୟ କେରଳ । ଆଗକୁ ନିଜ ରାଜ୍ୟ ପାଇଁ ଖେଳିବାର ସମୟ ଆସିବକି ନାହିଁ ତାହା ମୋତେ କିମ୍ବା କାହାକୁ ଜଣାନାହିଁ। ଅତି କମରେ ପରବର୍ତ୍ତୀ ଚାରିବର୍ଷ ପାଇଁ ମୁଁ ବେଙ୍ଗାଲୁରୁ ଏଫସି ଦଳରେ ଅଛି ଏବଂ ତାହା ଉପରେ ମୁଁ ଧ୍ୟାନ ଦେଉଛି । ତାହାହିଁ ହେଉଛି ଫୁଟବଲ । ଆଗକୁ କଣ ଘଟିବ ତାହା କେହିବି ଜାଣି ନାହାନ୍ତି । ମୁଁ ବେଶ ଖୁସି ଯେ କେରଳରୁ ଗୋଟିଏ ଦଳ ଆଇଏସଏଲ ଖେଳୁଛି । ଏହା ଦ୍ୱାରା ମୁଁ ନିଜ ରାଜ୍ୟରେ ଖେଳିବାର ସୁଯୋଗ ପାଇବି । ଆଇଏସଏଲରେ କେରଳରୁ ଗୋଟିଏ ଦଳ ରହିବା ଗୁରୁତ୍ୱପୂର୍ଣ । କାରଣ ସେଠାକାର ସମର୍ଥନ ଦେଶରେ ଫୁଟବଲ ଖେଳର ଉନ୍ନତି ଏବଂ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଁ ସହାୟକ ହେବ ।
ଦେଶରେ ଜଣେ ଯୁବ ଫୁଟବଲ ଖେଳାଳି ଭାବେ ସର୍ବାଧିକ ଚର୍ଚ୍ଚିତ ହେବ କେମିତି ଲାଗୁଛି ?
ଯୁବ ଖେଳାଳିଙ୍କ ବାବଦରେ ଲୋକେ ଏଭଳି ଚର୍ଚ୍ଚା କଲେ ବହୁତ ପ୍ରେରଣା ମିଳେ । ଆଗକୁ ବଢୁଥିବା ସବୁ ଯୁବ ଖେଳାଳିଙ୍କ ପାଖରେ ପ୍ରତିଭା ରହିଛି ଏବଂ ସମସ୍ତେ ଦଳରେ ସ୍ଥାନ ପାଇବାକୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।ସେମାନଙ୍କୁ ମୁଁ ଏଠି ବେଙ୍ଗାଲୁରୁ ଏଫସି ଦଳରେ ଦେଖିଛି । ଏଠାରେ ଆମର ରିଜର୍ଭ ଦଳର ଖେଳାଳିଙ୍କ ପାଖରେ ପ୍ରଚୁର ପ୍ରତିଭା ରହିଛି । ବରିଷ୍ଠ ଖେଳାଳିମାନେ ଆମ ସହ କଥାବାର୍ତ୍ତା ହେଲେ କିମ୍ବା ପ୍ରଶିକ୍ଷକ ଆମକୁ ଉପଦେଶ ଦେଲେ କେତେ ପରିମାଣରେ ଉତ୍ସାହ ବଢ଼େ ତାହା ନିଜେ ଜଣେ ଯୁବ ଖେଳାଳି ହିସାବରେ ମୁଁ ଭଲଭାବେ ଜାଣିଛି ।
