ଭୁବନେଶ୍ବର : ପୁଣି ଏକ ଲଭ୍ ସେକ୍ସ ଓ ଧୋକା ଘଟଣା ସାମ୍ନାକୁ ଆସିଛି । କଟକ ଏମ ଏମ ମେଡିକେୟାର ହସ୍ପିଟାଲର ନର୍ସ ନିହାରିକାଙ୍କ ହତ୍ୟାକାଣ୍ଡ ଘଟଣା ମନରୁ ନଲିଭୁଣୁ ପୁଣି ଆଉ ଜଣେ ନର୍ସଙ୍କ ସହ ପ୍ରେମ ପ୍ରଣୟ ଓ ପ୍ରତାରଣା ଭଳି ସାଙ୍ଘାତିକ ଘଟଣା ଘଟିଛି । କଟକ ସନ୍ ହସ୍ପିଟାଲରେ ପୂର୍ବରୁ ନର୍ସ ଭାବେ କାର୍ଯ୍ୟରତ ଏହି ପ୍ରତାରିତା ପ୍ରେମିକା ଏବେ ନ୍ୟାୟ ପାଇଁ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।
କଟକ ସନ୍ ହସ୍ପିଟାଲ ପରେ ସମ୍ପ୍ରତି ଭୁବନେଶ୍ବରର ଏକ ଘରୋଇ ନର୍ସିଂହୋମ୍ ରେ ନର୍ସ ଭାବେ କାର୍ଯ୍ୟ କରୁଥିବା ଏହି ଯୁବତୀ ଭୁବନେଶ୍ବର ମହିଳା ଥାନାରେ ପହଞ୍ଚ ତାଙ୍କ ପ୍ରେମିକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ଅଭିଯୋଗ ହେଲା ଯେ, ତାଙ୍କ ପ୍ରେମିକ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ଭାବେ ଉପଭୋଗ କରିଛନ୍ତି । କିନ୍ତୁ ପରବର୍ତ୍ତି ସମୟରେ ସେ ବିବାହ କରିବା ପାଇଁ ରାଜି ହେଉନାହାନ୍ତି । ପ୍ରେମିକ ହେଉଛନ୍ତି ପୂର୍ବରୁ ଯୁବତୀ କାମ କରୁଥିବା ସନ୍ ହସ୍ପିଟାଲର ଜଣେ ଏଚଆର (ମାନବ ସମ୍ବଳ ବିଭାଗ) ଏକଜିକ୍ୟୁଟିଭ । ଭୁବନେଶ୍ବର ମହିଳା ଥାନାରେ ଯୁବତୀ ଏହି ଅଭିଯୋଗ କରିଥିବା ବେଳେ ଘଟଣା କଟକରେ ଘଟିଥିବାରୁ ଯୁବତୀଙ୍କୁ କଟକ ମହିଳା ଥାନାରେ ଅଭିଯୋଗ କରିବା ଲାଗି ପରାମର୍ଶ ଦିଆଯାଇଛି ।
ଯୁବତୀଙ୍କ ଲିଖିତ ଅଭିଯୋଗ ଅନୁସାରେ କଟକ ସନ୍ ହସ୍ପିଟାଲରେ କାମ କରିବା ବେଳେ ଏଚଆର ବିଭାଗର ସଂପୃକ୍ତ କର୍ମଚାରୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ପ୍ରେମିକ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।
