Odia News Portal

ସ୍ଥାଣୁ ପାଲଟିଲାଣି କମିଶନରେଟ ପୋଲିସ୍‍ର ରେଡ଼କ୍ରସ ଶାଖା

ଭୁବନେଶ୍ୱର : କମିଶନରରେଟ ପୁଲିସ୍‍ର ରେଡକ୍ରସ ଶାଖାଟି ଏକ ପ୍ରକାର ସ୍ଥାଣୁ ପାଲଟି ଗଲାଣି । ଏକଦା ସେବାପାଇଁ ବେଶ୍‍ ନାଁ କମେଇଥିବା ପୁଲିସ୍‍ର ଏହି ଶାଖା ପାଇଁ ବଡ ପୁଲିସ୍‍ ବାବୁମାନଙ୍କୁ ଆଉ ବେଳ ମିଳୁନି । କିଏ କେଉଁଠି ଅସୁବିଧାରେ ପଡିଥିଲେ କମିଶନରେଟ ପୁଲିସ୍‍ ରେଡକ୍ରସ ଶାଖା ଯେଭଳି ତତ୍କାଳ ସହାୟତା ଯୋଗାଇ ଦେଉଥିଲା ତାହା ଆଉ ହେଉନାହିଁ । ମାସ ମାସ ଧରି ଆବେଦନ ପଡିରହିଲେ ବି ଟଙ୍କାଟିଏ ସହାୟତା ଯୋଗାଇଦେଇ ପାରୁନାହିଁ କମିଶନରେଟ ପୁଲିସ୍‍ର ରେଡକ୍ରସ ଶାଖା । କମିଶନରେଟ ପୁଲିସ୍‍ର ରେଡକ୍ରସ ଶାଖାକୁ ସହାୟତା ପାଇଁ ଆକୁଳ ଆବେଦନ କରିଥିବା କିଛି ଗରିବ ଓ ଅସହାୟ ନିରାଶ ହେବାପରେ ଏଭଳି ଚିତ୍ର ପଦାକୁ ଆସିବାରେ ଲାଗିଛି । ଗରିବ, ଅସହାୟମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ କମିଶନରେଟ ପୁଲିସର ରହିଛି ରେଡକ୍ରସ ଶାଖା ।

ଏହି ଶାଖା ରକ୍ତ ସଂଗ୍ରହ କରିବା ସହିତ ନିଜସ୍ୱ ପାଣ୍ଠିରୁ ସହାୟତା କରିଥାଏ । କାଳେ ସହାୟତା ପ୍ରଦାନ ଲାଗି ବିଳମ୍ବ ହେବ ସେଥିପାଇଁ ପୁଲିସ୍‍ କମିଶନରଙ୍କୁ ପୂରା କ୍ଷମତା ମିଳିଛି । ସେ ଚାହିଁଲେ ଅସହାୟଙ୍କୁ ନିଜ ଇଚ୍ଛା ଅନୁସାରେ ସହାୟତା କରିପାରିବେ । ହେଲେ ଏବେ ସ୍ଥିତି ପୂରା ଓଲଟା । ଡାକ୍ତରଖାନାରେ ପଡି ଛଟପଟ ହେଉଥିବା ଗରିବ ଅସହାୟ ରୋଗୀଙ୍କ ପାଇଁ କମିଶନରଙ୍କ ନିକଟରେ ସମୟ ନାହିଁ । ଆବେଦନ ବଢି ଚାଲିଥିବାବେଳେ ସହାୟତା ଶୂନ । ଦାୟିତ୍ୱରେ ଥିବା ପୁଲିସ୍‍ ବାବୁମାନେ ବି ହାତ ଟେକି ଦେଲେଣି । କାରଣ କମିଶନରଙ୍କୁ ବାରମ୍ବାର ଅନୁରୋଧ କରିବାପାଇଁ ସେମାନଙ୍କର ଯୁ ପାଉନାହିଁ । କମିଶନରେଟ ପୁଲିସ୍‍ର ରେଡକ୍ରସ ସଂସ୍ଥା ସହିତ ଜଡିତ ଥିବା କିଛି ବିଶିଷ୍ଟ ବ୍ୟକ୍ତି କହିଛନ୍ତି ଯେ ପୂର୍ବତନ ପୁଲିସ୍‍ କମିଶନରମାନେ ରେଡକ୍ରସ ଶାଖା ପ୍ରତି ଯେଭଳି ଗୁରୁତ୍ୱ ଦେଉଥିଲେ ଏବେ ଆଉ ତାହା ନାହିଁ । କେବଳ ବୈଠକରେ କାମ ସରିଯାଉଛି ।

 

କାହାକୁ କେଉଁଠି କିଭଳି ସହାୟତା ପ୍ରଦାନ କରାଯିବ ସେଥିପାଇଁ କମିଶନରଙ୍କୁ ବେଳ ହେଉନଥିବାରୁ ସହାୟତା ପ୍ରଦାନ କରାଯାଇ ପାରୁନାହିଁ । ମାସ ମାସ ଧରି ଆବେଦନ ପଡି ରହୁଛି । ଏଭଳି ଅବସ୍ଥା ଲାଗି ରହିଲେ ସେମାନେ ଏହି ଶାଖାରୁ ଦୂରେଇ ଯିବେବୋଲି ମଧ୍ୟ କେତେକ ମତ ଦେଲେଣି । କିଛି ବ୍ୟକ୍ତିଙ୍କ କହିବାକଥା ଯେ ରାଜଧାନୀରେ ଚୋରା ବନ୍ଧୁକ ସହିତ ଖେଳି ଜଖମ ଛାତ୍ରୀଙ୍କୁ ପୁଲିସ୍‍ କମିଶନର ତତ୍କାଳ ୨୫ହଜାର ଟଙ୍କା ସହାୟତା ଯୋଗାଇ ଦେଉଥିବାବେଳେ ସହାୟତା ପାଇଁ ଆବେଦନ କରୁଥିବା ଗରିବ ଅସହାୟମାନଙ୍କ ପାଇଁ ସମୟ ନଦେବା ଅତ୍ୟନ୍ତ ପରିତାପର ବିଷୟ । ଏଭଳି ସ୍ଥିତିରେ ବରଂ କମିଶନରେଟ ପୁଲିସ୍‍ର ରେଡକ୍ରସ ସଂସ୍ଥାଟିକୁ ବନ୍ଦ କରିଦେଇ ଏହା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ଅନ୍ୟତ୍ର କାର୍ଯ୍ୟରେ ଲଗାଇଲେ ଭଲ ହେବ । ଯଦି ସମୟ ନାହିଁ ତେବେ ଖାଲିଟାରେ ବୈଠକ ଡାକି ପ୍ରଚାର କରିବାର ଆବଶ୍ୟକ ନାହିଁ ବୋଲି ସେମାନେ ମତ ଦେଉଛନ୍ତି ।