ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାର ଅରନପୁର ଥାନା ଅନ୍ତର୍ଗତ ନିଲାବାୟା ଜଙ୍ଗଲରେ ମଙ୍ଗଳବାର ସକାଳେ ଡିଆରଜି ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଜବରଦସ୍ତ ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଯବାନମାନେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିବା ଜଣେ କ୍ୟାଡର ନକ୍ସଲକୁ ନିପାତ କରିଛନ୍ତି। ଏହି ଏନକାଉଣ୍ଟର ପରେ ଯବାନମାନେ ନକ୍ସଲର ମୃତଦେହ ଏବଂ ଅସ୍ତ୍ରଶସ୍ତ୍ର ସମେତ ନକ୍ସଲଙ୍କର ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି।
ଦାନ୍ତେଓ୍ବାଡା ଏସପି ଡଃ. ଅଭିଷେକ ପଲ୍ଲଭ କହିଛନ୍ତି ଯେ ପୁଲିସକୁ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିବା ପରେ ଅରନପୁର ପୁଲିସ ଥାନା ଅଞ୍ଚଳରେ ଥିବା ନିଲାବାୟା ଜଙ୍ଗଲକୁ ଡିଆଇଜି ଯବାନଙ୍କୁ ପଠାଯାଇଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ଯବାନମାନେ ଏହି ଅଞ୍ଚଳକୁ ଘେରି ରହିଥିଲେ। ଏହି ସମୟରେ ନକ୍ସଲମାନେ ଯବାନମାନଙ୍କୁ ଦେଖି ଅତର୍କିତ ଭାବେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ନକ୍ସଲ ପକ୍ଷରୁ ଆକ୍ରମଣ ଦେଖି ଯବାନମାନେ ଆତ୍ମରକ୍ଷା ପାଇଁ ସେମାନଙ୍କ ଉପରକୁ ପାଲଟା ଗୁଳି ଚଳେଇଥିଲେ। ଏହି ଗୁଳି ବିନିମୟରେ ଯବାନମାନେ ଜଣେ କ୍ୟାଡର ନକ୍ସଲଙ୍କୁ ହତ୍ୟା କରିଥିଲେ। ଯବାନମାନେ ନକ୍ସଲଙ୍କ ଉପରେ ଭାରି ପଡ଼ିବାର ଦେଖି ନକ୍ସଲମାନେ ଘଞ୍ଚ ଜଙ୍ଗଲର ଆଢୁଆଳରେ ସେଠାରୁ ଖସି ପଳାଇଥିଲେ। ଏନକାଉଣ୍ଟର ପରେ ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ।ଘଟଣା ସ୍ଥଳରୁ ଯବାନ ମାନେ ଜଣେ ନକ୍ସଲଙ୍କ ମୃତଦେହକୁ ଜବତ କରିଛନ୍ତି। ନିହତ ନକ୍ସଲ ନିଲାବାୟା ଅଞ୍ଚଳର ମଲାପାରା ନିବାସୀ କୋସା ବୋଲି ପରିଚୟ ଜଣାପଡିଛି।
ଏସପି ଶ୍ରୀ ପଲ୍ଲବ କହିଛନ୍ତି ଯେ ନିହତ ନକ୍ସଲ କୋସା ଗତ ୧୫ ବର୍ଷ ଧରି ନକ୍ସଲ ସଂଗଠନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିଆସୁଥିଲେ। ସେ ମାଲାଙ୍ଗିର ଏରିଆ କମିଟିର ସଦସ୍ୟ ଥିଲେ ଏବଂ ନକ୍ସଲମାନଙ୍କ ସାମରିକ ଗୁଇନ୍ଦା ଦାୟିତ୍ୱରେ ମଧ୍ୟ ଥିଲେ। ନିହତ ନକ୍ସଲ ମୁଣ୍ଡ ଉପରେ ରାଜ୍ୟ ସରକାରଙ୍କ ଦ୍ୱାରା ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସେ ଆହୁରି କହିଛନ୍ତି ଯେ ମୃତକଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ୧୫ ରୁ ଅଧିକ ମାଓ ହିଂସାକାଣ୍ଡ ମାମଲା ରହିଛି।ଏହି ଏନକାଉଣ୍ଟର ପରେ ପୁଲିସ ଘଟଣା ସ୍ଥଳରୁ ୯ ମିଲିମିଟର ପିସ୍ତଲ, ଦେଶୀ ବନ୍ଧୁକ, ୩ କିଲୋଗ୍ରାମ ଓଜନ ବିଶିଷ୍ଟ ଆଇଇଡି ବୋମା, ଔଷଧ ଏବଂ ନକ୍ସଲମାନଙ୍କ ଦୈନନ୍ଦିନ ଉପଯୋଗୀ ସାମଗ୍ରୀ ଜବତ କରିଛି।