ଯାଜପୁର : ଆଜି ଗୋଟିଏ ଦିନରେ ୪ଟି ବିଜୁ ସେତୁର ଶିଳାନ୍ୟାସ କରିଛନ୍ତି ଯାଜପୁର ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ବାଚନମଣ୍ଡଳୀର ଧର୍ମଶାଳା-କବାଟବନ୍ଧ ରାସ୍ତାର କୁସ୍ତିରା ନିକଟ ହାଇଲେଭଲ କେନାଲ ଉପରେ ୧କୋଟି ୮୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ସେତୁର ପ୍ରଥମେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ସେହିପରି ଇମାମନଗର ଠାରେ ୧କୋଟି ୧୫ଲକ୍ଷ, ଶଗଡ଼ିଆ ନାଳର ଅଭୟପୁର ଠାରେ ୨କୋଟି ୪୨ଲକ୍ଷ ଏବଂ ପଟୁଣିଆର ଶଙ୍ଖ ଠାରେ ୪କୋଟି ୧୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ବିଜୁ ସେତୁର ଶିଳାନ୍ୟାସ କରିଥିଲେ। ଉକ୍ତ ସେତୁ ନିର୍ମାଣ ହେଲେ ପାଖାପାଖି ୧୫ଟି ପଂଚାୟତର ହଜାର ହଜାର ଜନସାଧାରଣ ଉପକୃତ ହେବା ସହ ଗମନାଗମନର ସୁବିଧା ପାଇପାରିବେ।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାହୁଙ୍କ ସମେତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।
