Odia News Portal

ବିଧାୟକଙ୍କ ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

ତାଳଚେର  : ବିଧାୟକଙ୍କ ଗାଡ଼ି ପୋଡ଼ି। ପୁଣି ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ ତାଳଚେରର ନନ୍ଦିରା କ୍ୟାମ୍ପରେ ବିଧାୟକଙ୍କ ଅଫିସରେ ଥିବା ଫର୍ଚୁନର ଗାଡ଼ିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିଲେ। ଗାଡ଼ିରେ ନିଆଁ ଲାଗିବା ଦେଖିବା ପରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ କିଏ ଓ କେଉଁ କାରଣରୁ ଗାଡ଼ି ପୋଡ଼ିଲା ତାହା ଜଣାପଡ଼ିନାହିଁ। ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପୂର୍ବରୁ ଅଗଷ୍ଟ ୧୯ତାରିଖରେ ବ୍ରଜଙ୍କ ଭୁବନେଶ୍ୱରସ୍ଥିତ ସରକାରୀ କ୍ୱାଟରରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିଲେ।

ଏଥିରେ ୨ଟି କାର, ଗୋଟିଏ ମୋଟର ସାଇକେଲ ଓ କିଛି ଆସବାବପତ୍ର ଜଳିଯାଇଥିଲା। ପରେ ନଭେମ୍ବର ୧ତାରିଖରେ ହାଣ୍ଡିଧୁଆଁସ୍ଥିତ ପୈତୃକ ବାସଭବନରେ କେହି ନିଆଁ ଲଗାଇ ଦେଇଥିଲା। ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତମାନଙ୍କୁ ଠାବ କରାଯାଇପାରିନଥିବା ବେଳେ ପୁଣି ଥରେ ବିଧାୟକଙ୍କ ଗାଡ଼ି ଜାଳି ଦିଆଯାଇଛି। ବିଧାୟକଙ୍କ ସହ ରାଜନୈତିକ କିମ୍ବା ବ୍ୟାବସାୟିକ ଶତ୍ରୁତାରୁ ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି।