ଭୁବନେଶ୍ୱର : ନବୀନ ନିବାସରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟାହ୍ନଭୋଜନ ଖାଇବାପରେ ଏବେ ରାଜ୍ୟ ବିଜେପି ନେତାମାନେ ଦୋଛକିରେ । ଏହାପରେ ସେମାନେ ଆଉ ମୁଖ୍ୟମନ୍ତ୍ରୀ କିମ୍ବା ନବନୀଙ୍କ ନେତୃତ୍ୱରେ ଚାଲୁଥିବା ସରକାରକୁ ସମାଲୋଚନା କରିବେ କି ନାହିଁ ସେହି ଚିନ୍ତାରେ ଅଛନ୍ତି । ବିରୋଧ କଲେ ଉପର ନେତାଙ୍କ ଚାପ, ବିରୋଧ ନକଲେ ତଳ କର୍ମୀଙ୍କ କୋପ ସହିବାକୁ ପଡିବ ବୋଲି ଅନୁଭବ କଲେଣି ।
ବିଧାନସଭା ନିର୍ବାଚନରେ ୧୨୦ଆସନ ଜିଣିବାପାଇଁ ଘୋଷଣା କରି ସେତେବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଅମିତ ଶାହା ଘନ ଘନ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରୁଥିଲେ । ଶାଳୀନତାର ସୀମା ଲଙ୍ଘି ମୁଖ୍ୟମନ୍ତ୍ରୀଙ୍କୁ ପୋଡା ଟ୍ରାନ୍ସଫର୍ମର କହିବାକୁ ବି ପଛାଇନଥିଲେ ଶାହା । ଏପରିକି ସରକାରଙ୍କୁ ଓପାଡି ଫୋପାଡି ଦେବାକୁ ବି କହିଥିଲେ । ଶାହାଙ୍କ ଗର୍ଜନ ଦେଖି ତଳିଆ କର୍ମୀମାନେ ବି ରଡି ଛାଡିଥିଲେ । ହେଲେ ନିର୍ବାଚନ ଫଳ ଦେଖିଲା ପରେ ସମସ୍ତେ ତୁନି ପଡିଥିଲେ ।
ଏହାପରେ କିନ୍ତୁ ରାଜ୍ୟ ବିଜେପି ନେତାମାନେ ସରକାରଙ୍କୁ ଘନ ଘନ ଆକ୍ରମଣ କରିବାକୁ ପଛାଉ ନଥିଲେ । କୌଣସି ଘଟଣା ଘଟିଲେ ଆଗପଛ ନବିଚାରି ମୁଖ୍ୟମନ୍ତ୍ରୀଙ୍କ ଆଡପୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ । ଗଣମାଧ୍ୟମରେ ତିଷ୍ଠି ରହିବାପାଇଁ ବି କିଛି ନେତା ବରାବର ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ସମାଲୋଚନା କରୁଥିଲେ । ହେଲେ ଏବେ ସେଥିରେ ଏକ ପ୍ରକାର ରୋକ୍ ଲାଗିଛି । ବିଶେଷକରି ପୂର୍ବାଚଞ୍ଚଳ ବୈଠକକୁ ଆସି ଅମିତ ଶାହା ଯେଭଳି ଭାବେ ନବୀନ ନିବାସରେ ଯାଇ ଭୋଜନ କଲେ ତାହା ବିଜେପି ନେତା ଓ କର୍ମୀଙ୍କ ମୁହଁରେ ଏକ ପ୍ରକାର ତୁଣ୍ଡି ବାନ୍ଧି ଦେଇଛି । ଦଳର ନେତା ଯେତେବେଳେ ନବୀନ ନିବାସରେ ହାଜର ହେଉଛନ୍ତି ସେତେବେଳେ ନବୀନ କିମ୍ବା ବିଜେଡିକୁ ସମାଲୋଚନାକଲେ କେବଳ ଲୋକହସା ହେବା ସାର ବୋଲି କିଛି ବିଜେପି ନେତା ଏବେ ଖୋଲାଖୋଲି ଭାବେ କହୁଛନ୍ତି । ଗାଁ ଗହଳର କର୍ମୀମାନଙ୍କ ଅବସ୍ଥା ଆହୁରି ଖରାପ । କଂଗ୍ରେସର ବିପର୍ଯ୍ୟୟ ପରେ ଗାଁ ଗହଳରେ ଏବେ ପ୍ରାୟ ବିଜେଡି ଓ ବିଜେପି ଦୁଇଟି ଦଳ । ଦୁଇ ଦଳର କର୍ମୀ ଅଧିକାଂଶ ସ୍ଥାନରେ ମୁହାଁମୁହିଁ । ତେଣୁ ସେମାନେ ବି ଉପର ସ୍ତରରେ ଏଭଳି କୋଳାକୋଳି ଦେଖି ଏକ ପ୍ରକାର ନିରବ ।
ସବୁଠାରୁ ବଡ କଥା ହେଲା ଓଡିଶା ଗସ୍ତ ଅବସରରେ ଅମିତ ଶାହା କର୍ମୀମାନଙ୍କୁ ଗୁରୁମନ୍ତ୍ରୀ ଦେଇ ବୁଥ୍ ସ୍ତର ମଝବୁତ କରିବାକୁ ଯେଉଁ ଆହ୍ୱାନ ଦେଇଛନ୍ତି ତାହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେହି ଚିନ୍ତା ଏବେ ନେତାଙ୍କୁ ଘାରିଛି । କାରଣ ବୁଥ୍ ସ୍ତରକୁ ଗଲାମାତ୍ରେ ତଳ ସ୍ତରର କର୍ମୀମାନେ ବିଜେଡି ସହିତ ସମ୍ପର୍କ ନେଇ ପ୍ରଶ୍ନ କରିବେ । ଉପରେ ଯଦି ନେତା କୋଳାକୋଳି ତେବେ ତଳେ କାହିଁକି ସେମାନେ ବିରୋଧ ପାଇଁ ମେଳି ହେବେ ବୋଲି ଯଦି ପଚାରିବେ ତେବେ ନେତାମାନେ କି ଉତ୍ତର ଦେବେ ସେହି ଚିନ୍ତାରେ ଏବେ ଘାରି ହେଉଥିବା ସୂଚନା ମିଳିଛି ।
