Odia News Portal

ଲକଡ଼ାଉନ୍ ସମୟରେ ଅସହାୟଙ୍କ ପାଇଁ ଦେବଦୂତ ସାଜିଲେ ପୂର୍ବତନ ବିଜେଡି ବିଧାୟକ

ଭୁବନେଶ୍ୱର : ମହାମାରୀ କରୋନା ଭାଇରସକୁ ନେଇ ରାଜ୍ୟରେ ଲକ୍‌ଡାଉନ ପରିସ୍ଥିତି ଉପୁଜିଥିବାବେଳେ ଏହି ଘଡିସନ୍ଧି ମୂହୂର୍ତରେ ଦୁଃଖୀ ଏବଂ ଅସହାୟ ବ୍ୟକ୍ତିଙ୍କ ଜୀବନଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଏହି ପରିସ୍ଥିତିରେ ନିଜ କର୍ତବ୍ୟକୁ ନଭୁଲି ଦୁଃଖୀ ଏବଂ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ । ସେହିଭଳି ବର୍ତମାନ ସମୟରେ ରାଜ୍ୟରେ ରକ୍ତର ଘୋର ଅଭାବ ଦେଖାଦେଇଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପ୍ରଭାତ ବିଶ୍ୱାଳ ଦୀର୍ଘ ୭ ଦିନବ୍ୟାପି ଏକ ବିଶାଳ ରକ୍ତଦାନ ଅଭିଯାନ ଚଲାଇଆସୁଛନ୍ତି ।

ଯେଉଁଥିରେ ୫ଶହରୁ ଉର୍ଦ୍ଧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇପାରିଛି । ୧୭ ଏପ୍ରିଲରେ ପ୍ରଭାତଙ୍କ ବାସଭାବନରୁ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିରରେ ମୋଟ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା, ଯେଉଁଥିରେ ତାଙ୍କ ପରିବାର ଲୋକଙ୍କ ଠାରୁ ଆରମ୍ଭକରି ଅନେକ ସ୍ୱେଚ୍ଛାସେବୀ ପର୍ଯ୍ୟନ୍ତ ସମସ୍ତେ ସ୍ୱଇଚ୍ଛାରେ ରକ୍ତ ଦାନ କରିଛନ୍ତି । କେବଳ ଏତିକି ନୁହେଁ ଦୁଃଖୀ, ଅସହାୟଙ୍କୁ ସୁଖିଲା ଏବଂ ରନ୍ଧା ଖାଦ୍ୟ ବଟଂନ ଠାରୁ ଆରମ୍ଭକରି ଅନେକ ଗୁରୁତର ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବାରେ ମଧ୍ୟ ତାଙ୍କ ପ୍ରମୁଖ ଭୂମିକା ରହିଛି । ଏହା ସହ ଲକଡାଉନ ସମୟରେ ସ୍ୱାସ୍ଥ୍ୟ ସେବା ଯେପରି ପ୍ରଭାବିତ ନହେବ ସେଥିପାଇଁ ପୂର୍ବରୁ ସେ ନିଜସ୍ୱ ଖର୍ଚ୍ଚରେ ଦୁଇଟି ଆମ୍ବୁଲାନ୍ସର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଯାହାକି ରୋଗୀଙ୍କୁ ଆପତକାଳୀନ ସେବା ଯୋଗାଇ ଦେଇବାରେ ଖୁବ ଫଳପ୍ରଦ ହୋଇଛି । ଏହିଭଳି ଏକ ଘଟଣାକ୍ରମେ ପ୍ରଭାତ, ଏକ ଅସହାୟ ମା’ର ଦୁଃଖକୁ ବୁଝି ତାର ଝିଅର ମୃତ ଦେହକୁ ନିଜସ୍ୱ ଆମ୍ବୁଲାନ୍ସ ଜରିଆରେ କଳାହାଣ୍ଡି ପଠାଇଥିବାବେଳେ ଅନ୍ୟପଟେ ଆଉ ଜଣେ ମହିଳା ତିନୋଟି ଯମଜ ସନ୍ତାନ ଜନ୍ମ ଦେବା ପରେ ପରିବାର ଲୋକଙ୍କ ପକ୍ଷରୁ ତାଙ୍କୁ ଘରକୁ ନେଇଯିବା ପାଇଁ ପ୍ରଭାତ ନିଜସ୍ୱ ଆମ୍ବୁଲାନ୍ସ ଯୋଗେ ଉକ୍ତ ମହିଳାଙ୍କୁ ତୁରନ୍ତ ତାଙ୍କ ଘରେ ବିଞ୍ଝାରପୁରରେ ଛାଡିଥିଲେ ।

ସେହିଭଳି ଆସ୍କା ଅଚଂଳର ପୀଡିତ ମହିଳା କଟକ ବଡ ମେଡିକାଲରେ ସ୍ତନ କର୍କଟ ରୋଗରେ ଚିକିତ୍ସିତ ହେଉଥିବାବେଳେ କିନ୍ତୁ ତାଙ୍କୁ ଘରକୁ ନେବା ପାଇଁ କୌଣସି ସରକାରୀ ଆମ୍ବୁଲାନ୍ସ ମିଳିନଥିଲା । ଏହି ସଂପର୍କରେ ପ୍ରଭାତଙ୍କୁ ସୂଚନା ମିଳିବା ପରେ ସେ ତୁରନ୍ତ ନିଜସ୍ୱ ଆମ୍ବୁଲାନ୍ସ ଜରିଆରେ ଉକ୍ତ ମହିଳାଙ୍କୁ ତାଙ୍କ ଘରେ ପହଚାଂଇଥିଲେ । ଏଭଳି ଭାବେ ପ୍ରତିଦିନ ପ୍ରଭାତ ଅନେକ ଗୁରୁତର ରୋଗୀଙ୍କୁ ସହାୟତା ଯୋଗାଇ ଦେଉଥିବାବେଳେ ଲକଡାଉନ ପ୍ରତ୍ୟାହାର ପର୍ଯ୍ୟନ୍ତ ସେ ଏଭଳି ଭାବେ ରୋଗୀଙ୍କୁ ସେବା ଯୋଗାଇଦେବେ ବୋଲି କହିଛନ୍ତି । ବାସ୍ତବରେ ପ୍ରଭାତଙ୍କର ଏହିଭଳି ଜନମଙ୍ଗଳକାରୀ କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ଖୁବ ପ୍ରଶଂସା କରାଯାଉଛି ।