Odia News Portal

ଦୂରତା ବଜାୟ ରଖି ବିରୋଧୀଙ୍କୁ ଟାଣି ଆଣିଲେ ସୁକିନ୍ଦା ବିଧାୟକ

ଯାଜପୁର : ସୁକିନ୍ଦା ବ୍ଲକ କାଳିଆପାଣିରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେପି, କଂଗ୍ରେସ ଛାଡି ୨୪୮ ଜଣ ବିଜେଡ଼ିରେ ଯୋଗ ଦେଇଛନ୍ତି ।  ଗୋଟିଏ ପରେ ଗୋଟିଏ ପଞ୍ଚାୟତର ଲୋକଙ୍କୁ ବିଜେଡିର ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ । ମିଶ୍ରଣ ପର୍ବରେ ସାମାଜିକ ଦୂରତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ।

ରାଜନୈତିକ ଦୃଷ୍ଟିରୁ ଆଜିର ମିଶ୍ରଣ ପର୍ବ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ବିଶେଷ କରି ବିଜେପି ପାଇଁ ଆଜିର ମିଶ୍ରଣ ପର୍ବ ଏକ ଆହ୍ୱାନ ହୋଇଛି । କାରଣ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ପୂର୍ବତନ ପଞ୍ଚାୟତ ପ୍ରତିନିଧିମାନେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଯଦିଓ ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ ୧୬,୭୩୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ, କିନ୍ତୁ ବିଜେପି ଗଡ଼ର ଅଧିକାଂଶ ଛାମୁଆ ସଂଗଠକ ବିଜେଡିରେ ମିଶିଛନ୍ତି ।

କଅଁସ ସରପଞ୍ଚ ରବିନ୍ଦ୍ର ସାହୁ ଏବଂ ସମିତି ସଭ୍ୟ ଘାସିରାମ ବେହେରାଙ୍କ ଯୋଗଦାନ ପରେ ସ୍ଥାନୀୟ ଅଞ୍ଚଳରେ ବିଜେଡିର ସଂଗଠନ ମଜଭୁତ ହୋଇଛି । ସେହିପରି କାଳିଆପାଣି, ଚିଙ୍ଗୁଡିପାଳ, ରାଶଁଳୋ, କୁହିକା ଏବଂ ପିମ୍ପୁଡିଆ ପଞ୍ଚାୟତର ଶତାଧିକ ବ୍ୟକ୍ତିଙ୍କ ଯୋଗଦାନ ଯୋଗୁଁ ବିଜେଡି ସୁଦୃଢ଼ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ଘଡ଼ାଇ । କାଳିଆପାଣିର ସମାଜସେବୀ ଜେମା ଚାକି, ପୂର୍ବତନ ସରପଞ୍ଚ ଲିଲିମଣୀ ମହାନ୍ତ, ପୂର୍ବତନ ସରପଞ୍ଚ କାମଦେବ ଦେହୁରୀ, ଗୌରାଙ୍ଗ ସାହା ନିଜର ସମର୍ଥକଙ୍କ ସହ ବିଜେପି ଛାଡ଼ି ଆଜି ବିଜେଡିର ହାତ ଧରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ସୁକିନ୍ଦା ରିଜର୍ଭ କ୍ରୋମାଇଟ ଖାଦାନ ମଜଦୂର ସଂଘର ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ଧୀର, ଯୁଗ୍ମ ସାଧାରଣ ସଂପାଦକ ଭରତ ଚନ୍ଦ୍ର ମହାନ୍ତ, ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ଚନ୍ଦ୍ର ପାତ୍ର ଓ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ବିଜେଡି ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାନେତ୍ରୀ ଭଗବତୀ ମହାନ୍ତ ପ୍ରମୁଖ ଏବଂ  ୭ଟି ଯାକ ପଞ୍ଚାୟତର ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧିମାନେ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।