Odia News Portal

ବିଜୁ ଛାତ୍ର ଜନତା ଦଳ ସଭାପତି ପଦ ପାଇଁ ଦୌଡ଼

ଭୁବନେଶ୍ୱର : ବିଜୁ ଜନତାଦଳ ଏବେ ତାହାର ସଂଗଠନର ନବକଳେବର କରୁଥିବାବେଳେ ଦଳର ଛାତ୍ର ଓ ଯୁବ ସଂଗଠନ ପାଇଁ କସରତ ଆରମ୍ଭ ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କର ଛାତ୍ର ଓ ଯୁବ ସଂଗଠନ ଗଠନ କରିଥିବାବେଳେ ବିଜେଡି ଏହି ପ୍ରକ୍ରିୟା ଶୀଘ୍ର ସାରିବାପାଇଁ ଯାଉଛି । ବିଜେଡିର ଛାମୁଆ ସଂଗଠନ କୁହାଯାଉଥିବା ବିଜୁ ଛାତ୍ର ଜନତାଦଳର ସଭାପତି ପଦକୁ ନେଇ ଆରମ୍ଭ ହୋଇଛି କସରତ । ଦୌଡରେ ୪ଜଣ ଥିବା ଲକ୍ଷ୍ୟ କରାଯାଉଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ବାଙ୍କି ବିଧାୟକ ତଥା ଯୁବ ନେତା ଦେବୀ ରଞ୍ଜନ ତ୍ରିପାଠୀ, ଦଳର ରାଜ୍ୟ ସାଧାରଣ ସମ୍ପାଦକ ଥିବା ପାର୍ଥ ସାରଥି ମୁଦୁଲି, ରେଭେନ୍ସା କଲେଜର ପୂର୍ବତନ ସଭାପତି ହରିଶଙ୍କର ରାଉତ ଓ କଟକ-ଚୌଦ୍ୱାରର ଯୁବ ବିଧାୟକ ସୌଭିକ ବିଶ୍ୱାଳ ।

ସାଂଗଠନିକ ଦକ୍ଷତା, ଦଳ ପ୍ରତି ଆନୁଗତ୍ୟ ଓ ସର୍ବୋପରି ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଦୃତ ହେଉଥିବା ଜଣେ ଯୁବ ପ୍ରତିଭାଙ୍କ ହାତରେ ଦଳ ତାହାର ଛାତ୍ରଶାଖାର ମଙ୍ଗ ଧରାଇବାପାଇଁ ଉଦ୍ୟମ କରୁଛି । ରେସରେ ଥିବା ଦେବୀ ରଞ୍ଜନ ହେଉଛନ୍ତି ବାଙ୍କୀର ବର୍ତ୍ତମାନର ବିଧାୟକ ଓ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁତ୍ର । ଛାତ୍ର ରାଜନୀତିରେ ତାଙ୍କର ସ୍ୱତନ୍ତ୍ର ଦବ୍‍ଦବା ରହିଛି । ସାଂଗଠନିକ ଦକ୍ଷତା ଯୋଗୁଁ କଲେଜ ନିର୍ବାଚନ ସମୟରେ ସେ ଅନେକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କୁ ଜିଣାଇ ଆଣିଥାନ୍ତି ।
ରେସ୍‍ରେ ଥିବା ଅନ୍ୟତମ ଯୁବ ନେତା ପାର୍ଥ ସାରଥି ବିପିୟୁଟି ଛାତ୍ରନେତା ଭାବେ ସାରା ରାଜ୍ୟରେ ବେଶ୍‍ ପରିଚିତ । ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଉପରେ ତାଙ୍କର ବେଶ୍‍ ପ୍ରଭାବ ରହିଛି । ଗୋଟିଏ ସାଧାରଣ ପରିବାରରୁ ଆସିଥିବା ପାର୍ଥ
ବିଜୁ ଛାତ୍ର ଜନତା ଜଣେ ଦୂରଦୃଷ୍ଟି ସମ୍ପନ୍ନ ଯୁବନେତା ହୋଇଥିବାବେଳେ ରାଜଧାନୀର ବିଭିନ୍ନ କଲେଜରେ ତାଙ୍କର ଭଲ ପ୍ରଭାବ ରହିଛି ।

ସେହିଭଳି ଯୁବ ନେତା ହରିଶଙ୍କର ରେଭେନ୍ସା କଲେଜର ପୂର୍ବତନ ସଭାପତି ହୋଇଥିବାରୁ ତାଙ୍କର ମଧ୍ୟ ଛାତ୍ର ରାଜନୀତିରେ ବେଶ୍‍ ଦବଦବା ରହିଛି । ଗତ ତିନିବର୍ଷ ମଧ୍ୟରେ ସେ ନିଜସ୍ୱ ଉଦ୍ୟମରେ ପ୍ରାୟ ୪୦୦୦ ୟୁନିଟ୍‍ ରକ୍ତ ସଂଗ୍ରହ କରିବା ସହିତ କଟକର ବିଭିନ୍ନ କଲେଜରେ ବେଶ୍‍ ଲୋକପ୍ରିୟ ।
ସେହିଭଳି ଚୌଦ୍ୱାରା-କଟକ ବିଧାୟକ ତଥା ଯୁବନେତା ସୌଭିକ ବିଶ୍ୱାଳ ଜଣେ ଦୃଢ ସଂଗଠନ ଓ ଛାତ୍ରଛାତ୍ରୀଙ୍କ ଭିତରେ ବେଶ୍‍ ଆଦୃତ । ରାଜନୈତିକ ପରିବାରରୁ ଆସିଥିବା ସୌଭିକ ସାମାଜିକ କ୍ଷେତ୍ରରେ ବେଶ ସକ୍ରିୟ ଥିବାବେଳେ ଜଣେ କଣ୍ଠଶିଳ୍ପୀଭାବେ ମଧ୍ୟ ବେଶ୍‍ ଜଣାଶୁଣା ।

ତେଣୁ ଛାତ୍ରଛାତ୍ରୀଙ୍କ ଉପରେ ତାଙ୍କର ପ୍ରଭାବ ରହିଛି । ତେବେ ବିଜୁ ଛାତ୍ର ଜନତାଦଳର ସଭାପତି ଚୟନକୁ ନେଇ ଯେଉଁ କସରତ ଆରମ୍ଭ ହୋଇଛି ତାହାର ସବୁକିଛି ନିର୍ଭର କରୁଛି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ । କାରଣ ଦଳରେ ଚୂଡାନ୍ତ ନିଷ୍ପତ୍ତି ନବୀନ ହିଁ ନେବେ । ତେବେ ଦଳରେ ଖୁବ୍‍ଶୀଘ୍ର ଦୁଇ ଶାଖାରେ ମୁଖିଆ ନିଯୁକ୍ତି ଚୂଡାନ୍ତ ହେବ ବୋଲି ସୂଚନା ମିଳୁଛି ।