ଭୁବନେଶ୍ଵର : ଜଗତ୍ସିଂହପୁର ଜିଲ୍ଲା ବିଜେଡିର ପିତାମହ କୁହାଯାଉଥିବା ବିଷ୍ଣୁ ଦାସଙ୍କ ଆବର୍ତ୍ତମାନରେ ତାଙ୍କ ସମର୍ଥକଙ୍କ ଉପରେ ଏବେ ସମସ୍ତଙ୍କ ନଜର । ୫ଥର ଜଗତ୍ସିଂହପୁର ଓ ତରେ ତିର୍ତ୍ତୋଲ ବିଧାନସଭା ଆସନରୁ ଲଢି ଜିଣିଥିବା
ବିଜେଡିର ଏହି ବରିଷ୍ଠ ନେତାଙ୍କ ସମର୍ଥକମାନେ ଏବେ କୁଆଡେ ଯିବେ ତାହାକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି । ବିଷ୍ଣୁ ଦାସ ଜଗତ୍ସିଂହପୁର ଆସନରୁ ନିର୍ବାଚନ ଜିଣି ଆସୁଥିବାବେଳେ ଏହି ଆସନର ବିଜେଡି କର୍ମୀମାନେ ତାଙ୍କ ସହିତ ଥିଲେ । ଯେତେବେଳେ ବିଷ୍ଣୁ ଜଗତ୍ସିଂହପୁର ଛାଡି ତିର୍ତ୍ତୋଲ ମୁହାଁଇଲେ ସେତେବେଳେ ଅଧିକାଂଶ କର୍ମୀ ଯୁବନେତା ଅମରେନ୍ଦ୍ର ଦାସଙ୍କ ସହିତ ରହିଲେ । ବିଜେଡି ସଂଗଠନ ବି ପୂର୍ବଭଳି ମଝବୁତ ରହିଲା । ହେଲେ ଅମରେନ୍ଦ୍ର ଶେଷ ମୂହୂର୍ତ୍ତରେ ନିର୍ବାଚନ ଦୌଡରୁ ଓହରି ଯିବାପରେ ବିଷ୍ଣୁଙ୍କ ସମର୍ଥକମାନେ ତିର୍ତ୍ତୋଲ ମୁହାଁ ହୋଇଥିଲେ । ଅବଶ୍ୟ କିଛି ସମର୍ଥକ ବିଜେଡି ଦ୍ୱାହିରେ ଜଗତ୍ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନିକଟକୁ ଯାଇଛନ୍ତି । ଏହାପରେ ପ୍ରଶାନ୍ତ ମୁଦୁଲି ଜିଲ୍ଲା ବିଜେଡି ସଭାପତି ହେବାପରେ ବିଜେଡିର ଗୋଟିଏ ଗୋଷ୍ଠି ତାଙ୍କ ପାଖରେ ଅଛନ୍ତି ।

ଯଦି ସିଏ ପୁଣି ଥରେ ମଇଦାନକୁ ଓହ୍ଲାଇବେ ତେବେ ବିଷ୍ଣୁଙ୍କ ସମର୍ଥକମାନେ ତାଙ୍କ ସହିତ ଯାଇପାରନ୍ତି ବୋଲି ଆଶା କରାଯାଉଛି ା ଅପର ପକ୍ଷରେ ବିଷ୍ଣୁଙ୍କ ବିଶାଳ ପଟୁଆରକୁ ନିଜ ପଟକୁ ଆଣିବାପାଇଁ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା ସତ୍ୟବ୍ରତ ମହାପାତ୍ର ଉଦ୍ୟମ ଆରମ୍ଭ କରିଛନ୍ତି ା ଯିଏ ଏଥିରେ ସଫଳ ହେବ ଆଗାମୀ ନିର୍ବାଚନରେ ତାହାର ବିଜୟ
ସୁନିଶ୍ଚିତ ବୋଲି କୁହାଯାଉଛି । କାରଣ ଗାଁ ଗହଳରେ ବିଷ୍ଣୁଙ୍କ ସମର୍ଥକଙ୍କ ସଂଖ୍ୟା ଅଧିକ ରହିଛି । ସେହିଭଳି ବିଷ୍ଣୁଙ୍କ ବିୟୋଗ ପରେ ତିର୍ତ୍ତୋଲ ବିଧାନସଭା ଆସନଟି ଖାଲି ପଡିଥିବାବେଳେ ସେଠାରେ ତାଙ୍କର ଉତ୍ତରାଧିକାରୀ କିଏ ହେବ ତାହାକୁ ନେଇ ବି ଅଙ୍କକଷା ଚାଲିଛି । ଏହି ସଂରକ୍ଷିତ ଆସନରୁ ପୂର୍ବରୁ ବିଧାୟକା ଥିବା ତଥା ବର୍ତ୍ତମାନର ଜଗତ୍ସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ଅନୁଗତ ପ୍ରାର୍ଥୀ ହେବେ ନା ବିଷ୍ଣୁଙ୍କ ଅନୁଗତକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ଏବେ ନଜର ା ତେବେ ବିଷ୍ଣୁଙ୍କ ସମର୍ଥକମାନେ ତିର୍ତ୍ତୋଲ ଆସନରୁ ତାଙ୍କ ପୁଅକୁ
ଉପନିର୍ବାଚନରେ ପ୍ରାର୍ଥୀ କରି ସହାନୁଭୂତିର ଭୋଟ ହାତେଇବାପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।